ବ୍ୟାଧିଗ୍ରସ୍ତ ଗଣତନ୍ତ୍ର

ରବିନାରାୟଣ ସାମଲ

 

ସେମାନଙ୍କର ଭୋଟ ଦରକାର। ଭୋଟ ପାଇଁ ସେମାନେ ଯାହା କିଛି ବି କରିପାରନ୍ତି। ଲୋକଙ୍କ ଭିତରେ ସିଧାସଳଖ ଟଙ୍କା ବାଣ୍ଟନ୍ତି, ଟିଭି ଓ ଲାପ୍‌ଟପ୍‌ ଭଳି ଦାମିକା ସାମଗ୍ରୀ ଉପହାର ଦିଅନ୍ତି, ଏସା କରେଙ୍ଗେ- ତେସା କରେଙ୍ଗେ ପ୍ରତିଶ୍ରୁତି ଦିଅନ୍ତି, ଜାତି-ଧର୍ମକୁ ନେଇ ବିଭେଦ ସୃଷ୍ଟି କରନ୍ତି, ସ୍ଥଳ ବିଶେଷରେ ବାହୁବଳର ପ୍ରୟୋଗ କରନ୍ତି, ଶାସନକଳର ଦୁରୁପଯୋଗ କରନ୍ତି, ଭୋଟ ଜାଲିଆତି କରନ୍ତି, ବୁଥ୍‌ ଜବରଦଖଲ କରନ୍ତି, ଭୋଟ ଗଣତିରେ ଏପଟସେପଟ କରନ୍ତି ଏବଂ ଆବଶ୍ୟକ ସ୍ଥଳେ କାହାର ଜୀବନ ନେବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ। କ୍ଷମତାର ମୋହ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଅନୀତି, ଦୁର୍ନୀତି ଓ ଅପରାଧକୁ ପ୍ରୋତ୍ସାହିତ କରିଥାଏ। ଫଳରେ ଅପରାଧୀମାନେ ରାଜନୀତି ଭିତରକୁ ଧସେଇ ପଶନ୍ତି ଓ ଶାସନ କ୍ଷମତାକୁ ଅକ୍ତିଆର କରନ୍ତି। ଆମ ପାର୍ଲାମେଣ୍ଟର ଶତକଡ଼ା ୮୭ ଭାଗ ଏବଂ ଦେଶର ବିଧାନସଭା ସଭ୍ୟମାନଙ୍କ ମଧ୍ୟରୁ ଶତକଡ଼ା ୪୪ ଭାଗ ପ୍ରତିନିଧି ଅପରାଧ ପୃଷ୍ଟଭୂମିସମ୍ପନ୍ନ। ଏଡିଆର୍‌ର ଏହି ତଥ୍ୟ ଆମ ଗଣତନ୍ତ୍ରର ଅସଲ ଚେହେରାକୁ ଉନ୍ମୋଚିତ କରିଥାଏ। ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଲା। ହିଂସାକାଣ୍ଡ, ବୋମାମାଡ଼, ଗୁଳିଚାଳନା, ଗୃହଦାହ, ଭୋଟ ଜାଲିଆତି, ବୁଥ୍‌ ଜବରଦଖଲ, ଭୋଟବାକ୍ସ ଲୁଟ୍‌ ଓ ୪୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନି ସମୁଦାୟ ନିର୍ବାଚନ ପ୍ରକ୍ରିୟାକୁ କଳଙ୍କିତ କରି ପକାଇଲା। ସିସିଟିଭି କ୍ୟାମେରା ଲାଗିଥିବା ସତ୍ତ୍ୱେ ବୁଥ୍‌ ଜବରଦଖଲ ସ୍ବଚ୍ଛନ୍ଦରେ ଚାଲିଲା। ଏହାର କେତୋଟି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଅପରାଧୀଙ୍କ ଦୌରାମତ୍‌ୟରେ ପୋଲିସ ଓ ପୋଲିଂ ଅଫିସରମାନେ ଯେ କେତେ ଅସହାୟ ଭିଡିଓ ଗୁଡ଼ିକରୁ ଜଣାପଡ଼ୁଛି।
ବୁଥ୍‌ କ୍ୟାପ୍‌ଚରିଂ ବା ବୁଥ୍‌ ଜବରଦଖଲ ଆମ ଦେଶର ନିର୍ବାଚନୀ ଇତିହାସରେ ଅବଶ୍ୟ ନୂଆ କଥା ନୁହେଁ। ଏହା ୧୯୫୭ ମସିହାରୁ ହୋଇ ଆସୁଛି। ବିହାରର ବେଗୁସରାଇରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। କ୍ରମେ କ୍ରମେ ଏହା ସାରା ଦେଶକୁ ଗ୍ରାସ କରିଛି। ସାଧାରଣତଃ ଯେଉଁ ଦଳ ବା ପ୍ରାର୍ଥୀ ଯେଉଁଠି ଅଧିକ ଶକ୍ତିଶାଳୀ ସେମାନେ ସେଠି ବୁଥ୍‌ ଜବରଦଖଲ କରି ବସୁଛନ୍ତି। କେତେକ ବୁଥ୍‌ରେ ଏଜେଣ୍ଟମାନଙ୍କୁ ଆୟତକରି ବୁଥ୍‌ କ୍ୟାପ୍‌ଚରିଂ କରାଯାଉଛି ତ ଆଉ କେଉଁଠି ମତଦାତା ଓ ପୋଲିଂ ପାର୍ଟିକୁ ଭୟଭୀତ କରି ଜଣେ ବା ୨ ଜଣ ସମସ୍ତଙ୍କ ଭୋଟ ଦେଇ ଚାଲିଯାଉଛନ୍ତି। ମଲା ଜୀଇଁଲା ବି ବାଦ୍‌ ପଡ଼ୁ ନାହାନ୍ତି। ଏଭଳି ପରିସ୍ଥିତିକୁ ଦେଖି ଭଦ୍ରଲୋକମାନେ ଭୋଟଦାନ କରିବାକୁ ଆଉ ଆଗ୍ରହୀ ହେଉ ନାହାନ୍ତି।
ବୁଥ୍‌ ଜବରଦଖଲ ରୋକିବାକୁ ୧୯୮୯ ରେ ଲୋକପ୍ରତିନିଧି ଆଇନରେ ସଂଶୋଧନ କରାଗଲା। ଜବରଦଖଲକାରୀଙ୍କୁ ୧୩୫(କ) ଧାରାରେ ଏକରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ପାଇଁ ବ୍ୟବସ୍ଥା କରାଗଲା। ତଥାପି ଜବରଦଖଲ କମିଲା ନାହିଁ, ବରଂ ବଢ଼ି ଚାଲିଲା। ୧୯୯୯ ରେ ଇଭିଏମ୍‌ର ପ୍ରଚଳନ ଦ୍ୱାରା ଜାଲିଆତି କମିବ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ହେଲା ନାହିଁ। ‘ପୋଲିସ ଡାଳେ ଡାଳେ ଚାଲିଲା ବେଳକୁ ଚୋର ପତ୍ରେ ପତ୍ରେ ଚାଲିଲେ’। ଇଭିଏମ୍‌ରେ ଲକିଂ ସିଷ୍ଟମ୍‌ ଥାଇ ମଧ୍ୟ ଜଣେ ୨ ଜଣ ସମସ୍ତ ଭୋଟରଙ୍କ ପାଇଁ ମତଦାନ କରିଦେଲେ।
ଭୋଟ ଗ୍ରହଣରେ ଅନିୟମିତତା ଦର୍ଶାଇ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ୬୯୬ଟି ବୁଥ୍‌ରେ ସାନି ମତଦାନ କରାଗଲା। ମତଦାନ ପ୍ରାୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଲକ୍ଷ୍ୟ କରାଗଲା। ଏହାର ମୁଖ୍ୟ କାରଣ ହେଲା ଦୃଢ଼ ନିରାପତ୍ତା ବ୍ୟବସ୍ଥା। କେନ୍ଦ୍ରୀୟ ନିରାପତ୍ତା ବାହିନୀ ପ୍ରତି ବୁଥ୍‌ରେ ମୁତୟନ ହେବାରୁ ଅପରାଧୀମାନେ ଆଉ ଉପତ୍ାତ କରିପାରିଲେ ନାହିଁ। ଫଳତଃ ପୋଲିଂ ଅଫିସରମାନେ ଭୋଟ ଗ୍ରହଣ କାର୍ଯ୍ୟ ସୁରୁଖୁରୁରେ କରିପାରିଲେ। ଆମ ବିଚାରରେ ସେହିପରି ନିରାପତ୍ତା ବ୍ୟବସ୍ଥା ଯଦି ସାରା ଦେଶରେ କାର୍ଯ୍ୟକାରୀ ହୁଅନ୍ତା ତେବେ ରିଗିଂ ଓ ବୁଥ୍‌ କ୍ୟାପ୍‌ଚରିଂ ଆଉ ହୋଇପାରନ୍ତା ନାହିଁ।
ଭୋଟ ଜାଲିଆତି, ଭୋଟବାକ୍ସ ଲୁଟ୍‌, ବୁଥ୍‌ ଜବରଦଖଲ ଭଳି ଘଟଣାର ଫଟୋ କିମ୍ବା ଭିଡିଓ କ୍ଲିପ୍‌ ପଠାଇବାକୁ ନିର୍ବାଚନ କମିଶନ ‘ସି ଭିଜିଲ’ ନାମକ ଏକ ଆପ୍‌ ପ୍ରଚଳନ କରିଛନ୍ତି। ଏକଥା କିଛି ଜାଣନ୍ତି, କିଛି ଜାଣି ନାହାନ୍ତି ତା’ ସତ୍ତ୍ୱେ ଏହି ଆପ୍‌ରେ ହଜାର ହଜାର ସଂଖ୍ୟାରେ କ୍ଲିପ୍‌ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚୁଛି। ହେଲେ ତାହା ସେହି ଆପ୍‌ରେ ରହିଯାଉଛି। ଭୋଟଦାନରେ ଅନିୟମିତତା ଏତେ ବ୍ୟାପକ ହୋଇଯାଇଛି ଯେ କାର୍ଯ୍ୟାନୁଷ୍ଠାନ ନେବା ନିମିତ୍ତ ୫ ବର୍ଷ ବି ନିଅଣ୍ଟ ପଡ଼ୁଛି। ହାଇକୋର୍ଟରେ ହଜାର ହଜାର ସଂଖ୍ୟାରେ ମାମଲା ଫଇସଲା ନ ହୋଇପାରି ଗଡ଼ୁଛି। ଫଳରେ ନିର୍ବାଚନ ପ୍ରକ୍ରିୟା ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯାଉଛି।
ସବୁଠାରୁ ବଡ଼ କଥା ହେଉଛି ନିର୍ବାଚନ କମିଶନ ଓ ଅଧିକାରୀଙ୍କ ଦକ୍ଷତା ଓ ନିରପେକ୍ଷତା। ପ୍ରାୟ ପ୍ରତ୍ୟେକଟି ନିର୍ବାଚନରେ ସାଧାରଣ ମତଦାତା ଓ ରାଜନୈତିକ ଦଳ ପକ୍ଷରୁ କିଛି ନା କିଛି ଆପତ୍ତି ଅଭିଯୋଗ ଦରଜ ହୋଇଥାଏ। ମାତ୍ର ତାହାର ପ୍ରତିକାର କିଛି ହୋଇ ନ ଥାଏ। ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ନିମିତ୍ତ ଇଲେକ୍‌ସନ୍‌ ୱାଚ୍‌ ଓ ଏଡିଆର୍‌ ଭଳି ସଂସ୍ଥା ବାରମ୍ବାର ପରାମର୍ଶ ଦେଇଥାନ୍ତି। ତାକୁ ଗ୍ରହଣ କରୁଛି କିଏ? ଦେଶରେ ‘ମୁକ୍ତ, ଅବାଧ ଓ ନିରପେକ୍ଷ’ ନିର୍ବାଚନ ପୋଥି ବାଇଗଣ ହୋଇ ରହିଯାଇଥାଏ।
ଅନ୍ୟ ଏକ ବ୍ୟତିକ୍ରମ ହେଉଛି ଲୋକପ୍ରତିନିଧିମାନଙ୍କ ଦଳବଦଳ। ଏଥିଯୋଗୁ ଗୋଟିଏ ଗୋଟିଏ ରାଜ୍ୟର ସରକାର ବି ଭୁଶୁଡ଼ି ପଡ଼ୁଛି। ପ୍ରତିନିଧି ପ୍ରତ୍ୟାହାର କ୍ଷମତା ସାଧାରଣ ଭୋଟରଙ୍କ ହାତରେ ଥିଲେ ପ୍ରତିନିଧିମାନେ ଆଉ ଲଗାମଛଡ଼ା ହୋଇପାରନ୍ତେ ନାହିଁ। ସମ୍ପ୍ରତି ମହାରାଷ୍ଟ୍ରର ଘଟଣାବଳୀକୁ ଦେଖିଲେ ଏକଥା ସହଜରେ ଉପଲବ୍ଧି କରିହୁଏ। ୨୦୧୮ ଜୁନ୍‌ ୨୦ରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ଏକ ନିର୍ବାଚିତ ସରକାରକୁ ଭାଙ୍ଗିଦେଲେ। ଏହା ସର୍ବାଦୌ ଅଗଣତାନ୍ତ୍ରିକ। ଏହା କରିବା ଉଚିତ ନ ଥିଲା।
ଆଲୋଚିତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଜମ୍ମୁ-କଶ୍ମୀରର ଘଟଣାବଳୀ ଅଳ୍ପ କେତୋଟି ନମୁନା ମାତ୍ର। ଲୋକପ୍ରତିନିଧି ଆଇନରେ ଆହୁରି ଅନେକ ତ୍ରୁଟିବିଚ୍ୟୁତି ରହିଯାଇଛି। ତାହାର ସଂସ୍କାର ହେବା ନିହାତି ଜରୁରୀ। ନ ହେଲେ ବ୍ୟାଧିଗ୍ରସ୍ତ ଗଣତନ୍ତ୍ରକୁ ବ୍ୟାଧିମୁକ୍ତ କରିହେବ ନାହିଁ।
ମୋ:୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri