Categories: ଜାତୀୟ

ଡାଇଜେନ୍‌ ଜେଲ୍‌ ତ୍ରୁଟି

ନୂଆଦିଲ୍ଲୀ,୭।୯: ଡାଇଜେନ୍‌ ଜେଲ୍‌ ସିରପ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ଆବୋଟ ଇଣ୍ଡିଆ ତାର ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ହୋଇଥିବା ସିରପ ବୋତଲ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। ସାଧାରଣତଃ ଏହି ସିରପର ରଙ୍ଗ ଗୋଲାପି ହୋଇଥିବାବେଳେ ଏହାର ସ୍ବାଦ ମିଠା ହୋଇଥାଏ।

କିନ୍ତୁ ଅଗଷ୍ଟ ପୂର୍ବରୁ କିଣାଯାଇଥିବା କିଛି ବୋତଲର ସିରପ ରଙ୍ଗ ଧଳା ହେବା ସହ ଏହାର ବାସ୍ନା ମଧ୍ୟ ଅତି କଦର୍ଯ୍ୟ ହେଉଛି ବୋଲି କେତେଜଣ ଗ୍ରାହକ ଅଭିଯୋଗ କରିଥିଲେ। ଏନେଇ କେନ୍ଦ୍ରୀୟ ଔଷଧ ମାନ ନିର୍ଦ୍ଧାରଣ ସଂସ୍ଥା ପକ୍ଷରୁ ଏକ ନୋଟିସ ଜାରି କରାଯିବା ସହ ଏହି ସିରପର ବ୍ୟବହାର ବର୍ତ୍ତମାନ ପାଇଁ ଅସୁରକ୍ଷିତ ଏବଂ ଏହା ପାର୍ଶ୍ୱ ପ୍ରତିକ୍ରିୟାଶୀଳ ବୋଲି କୁହାଯାଇଛି।

ସେହିପରି ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ହୋଇଥିବା ସିରପଗୁଡିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି ଘଟଣାକୁ ନେଇ ଡାକ୍ତରମାନେ କହିଛନ୍ତି, ଲୋକେ ଆତଙ୍କିତ ହେବାର ଆବଶ୍ୟକ ନାହଁି। କେବଳ ଔଷଧ କିଣିବା ପୂର୍ବରୁ ଏହାର ପ୍ରସ୍ତୁତି ତାରିଖକୁ ଭଲ ଭାବେ ପରଖି ନେବାକୁ କୁହାଯାଉଛି। ଅପରପକ୍ଷେ ଡାଇଜେନ ଟାବଲେଟର ବ୍ୟବହାର ପୂର୍ବଭଳି ସୁରକ୍ଷିତ ରହିଛି ବୋଲି ଡାକ୍ତରମାନେ କହିଛନ୍ତି।

Share