୧୧ ଖଣି ପାଇଁ ଇ- ନିଲାମ ଆରମ୍ଭ

ଭୁବନେଶ୍ୱର,୯ା୭(ବ୍ୟୁରୋ):ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ଲୁହାପଥର ଓ ଡୋଲୋମାଇଟ ଓ ଗୋଟିଏ ବକ୍ସାଇଟ୍‌ ଖଣି ରହିଛି।
୭ଟି ଲୁହାପଥର ଖଣି ହେଉଛି ନଦୀଡିହି ଲୁହାପଥର ଖଣି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି ପାହାଡ଼, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼(ଓ୍ବେଷ୍ଟ) ଏବଂ ଗନ୍ଧଲପଡ଼ା। ସେହିଭଳି ୨ଟି ଲୁହାପଥର-ମାଙ୍ଗାନିଜ ଖଣି ମଧ୍ୟରେ ନଦୀଡିହି ଲୁହାପଥର ଓ ମାଙ୍ଗାନିଜ ଏବଂ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ରହିଛି। ଏଥିସହିତ କାଶିଆ ଲୁହାପଥର ଓ ଡୋଲୋମାଇଟ ବ୍ଲକ ଏବଂ କର୍ଲାପାଟ ବକ୍ସାଇଟ୍‌ ଖଣି ଅନ୍ତର୍ଭୁକ୍ତ।
ତେବେ ଏହି ୧୧ଟି ଖଣି ମଧ୍ୟରୁ ୪ଟି ଖଣିର ଲିଜ୍‌ ଅବଧି ସରିଥିବାବେଳେ ୭ଟି ସମ୍ପୂର୍ଣ୍ଣ ନୂଆ ଖଣି ରହିଛି। ଲିଜ୍‌ ଅବଧି ସରିଥିବା ଖଣିଗୁଡ଼ିକ ହେଲା କାଶିଆ ଲୁହାପଥର ଓ ଡୋଲୋମାଇଟ ଖଣି, ନଦୀଡିହି ଲୁହାପଥର ଖଣି, ନଦୀଡିହି ଲୁହାପଥର ଏବଂ ମାଙ୍ଗାନିଜ ଖଣି ଏବଂ ତେହେରି ଲୁହାପଥର ଓ ମାଙ୍ଗାନିଜ ଖଣି। ଏହି ସମସ୍ତ ୧୧ଟି ଖଣି ପାଇଁ ଅନ୍‌ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନକାରୀମାନଙ୍କୁ ୱେବ୍‌ସାଇଟ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ସଫଳତାର ସହିତ ପଞ୍ଜୀକୃତ ହେଲା ପରେ ସେମାନଙ୍କୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମିଳିବ, ଯେଉଁଥିରେ ସେମାନେ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏମ୍‌ଏସ୍‌ଟିସି ୱେବ୍‌ସାଇଟରେ ମଡେଲ ଟେଣ୍ଡର କାଗଜପତ୍ର ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଛି। ଟେଣ୍ଡର ଫି’ ଦାଖଲ ପରେ ଅଗଷ୍ଟ ୧୯ ତାରିଖ
ସୁଦ୍ଧା ଟେଣ୍ଡର କାଗଜପତ୍ର ଖରିଦ ପାଇଁ କୁହାଯାଇଛି। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୪ତାରିଖକୁ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଖଣି ପାଇଁ ଟେଣ୍ଡର କାଗଜର ଦର ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଯେଉଁ ବିଡରମାନେ ୨୦୧୯ ଅକ୍ଟୋବର ୧୮ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼ ଏବଂ ଗନ୍ଧଲପଡା ଲୁହାପଥର ଖଣି ପାଇଁ ଟେଣ୍ଡର ପେପର ଖରିଦ କରିଥିଲେ ସେମାନେ ଏବେ ବିନା ଦେୟରେ ସେହିସବୁ ଖଣି ପାଇଁ ଟେଣ୍ଡର ପକାଇ ପାରିବେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରାଜ୍ୟର ୨୪ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ସେଥିରୁ ୧୯ଟି ଖଣି ଲିଜଧାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହାଛଡ଼ା ରାଜ୍ୟ ସରକାର ଏବେ ଆଉ ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share