ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା। ତେଣୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯କୁ ସୋମବାର କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବ। ଉତ୍ପାଦର ମାନ ଖରାପ ହେବା କିମ୍ବା ଠକାମିର ଶିକାର ହେଉଥିବା ଲୋକମାନେ ଏହି ନୂତନ ଆଇନରେ ଲାଭ ପାଇପାରିବେ। ଏହି ଆଇନ ବଳରେ ଠକ ସଂସ୍ଥା ବିରୋଧରେ ଦଣ୍ଡବିଧାନ କରାଯାଇପାରିବ।
ଏହି ଆଇନରେ ଉପଭୋକ୍ତାମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବାକୁ ଉପଭୋକ୍ତା ସୁରକ୍ଷା ପରିଷଦ, ଉପଭୋକ୍ତା ବିବାଦ ରିଡ୍ରେସାଲ କମିଶନ, ଉତ୍ପାଦର ଗୁଣାବତ୍ତା , ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କୁ ଦଣ୍ଡବିଧାନ କରିବା ବ୍ୟବସ୍ଥା ରହିଛି। ଏଥିସହିତ କେନ୍ଦ୍ର ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ସ୍ଥାପନ ହେବ। ଏହା ଉପଭୋକ୍ତାଙ୍କର ଅଧିକାର ଓ ସୁରକ୍ଷାକୁ ନିଶ୍ଚିତ କରିବ। ଏହି ସଂସ୍ଥା ଉପଭୋକ୍ତା ସୁରକ୍ଷା ଆଇନ ଅଧିକାରକୁ କ୍ଷୁଣ୍ଣ କରୁଥିବା ସଂସ୍ଥା ବିରୋଧରେ ତଦନ୍ତକରି ଦଣ୍ଡବିଧାନ କରିବ। ଏଥିସହିତ ଉତ୍ପାଦନକାରୀ, ବିକ୍ରେତା, ବିଜ୍ଞାପନଦାତାଙ୍କ ଉପରେ ମଧ୍ୟ ଏହି ନୂତନ ଆଇନ ଅଙ୍କୁଶ ଲଗାଇବ। କମିଶନଙ୍କ ନିକଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଭିଯୋଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ରାଜ୍ୟରେ କଞ୍ଜୁମର ରିଡ୍ରେସାଲ କମିଶନ ସ୍ଥାପନ ହେବ। ରାଜ୍ୟ କମିଶନ କେନ୍ଦ୍ରୀୟ କମିଶନଙ୍କୁ ପ୍ରତି ୬ ମାସରେ କେତେକ ମାମଲା ଶୁଣାଣି ହୋଇ କେତେ ମାମଲା ଫଇସଲା କରାଯାଇଛି ଓ କେତେ ବାକି ପଡ଼ିଛି ସେ ନେଇ ରିପୋର୍ଟ ଦେବେ। ନୂତନ ଆଇନରେ କୋର୍ଟ ଯଦି କୌଣସି
ସଂସ୍ଥା ବେଆଇନ କରୁଥିବା ପ୍ରମାଣ ହୋଇଥିବ ତେବେ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସ ୨ ବର୍ଷ ପାଇଁ ଏବଂ ପୁଣି ଧରା ହେଲେ ସମ୍ପୂର୍ଣ୍ଣ ରଦ୍ଦ କରାଯିବାକୁ ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପରିଷଦରେ ଉପଦେଷ୍ଟା ମଣ୍ଡଳୀ ରହିବ। ସେଥିରେ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବା ବେଳେ ରାଜ୍ୟ ମନ୍ତ୍ରୀ ଉପାଧ୍ୟକ୍ଷ ଏବଂ ୩୪ ଜଣ ବିଭିନ୍ନ କ୍ଷେତ୍ରରୁ ସଦସ୍ୟ ରହିବେ।
ଏଠାରେ ଉଲ୍ଲେଖଯୋଗ୍ୟ
ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଉପଭୋକ୍ତା ସୁରକ୍ଷା ଆଇନ-୧୯୮୬ରେ ଖାଉଟିମାନେ ନ୍ୟାୟ ପାଇବାକୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଥିରେ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ସାମିଲ କରାଯାଇ ନ ଥିଲା।