Categories: ଖେଳ

ଏହି ଦୁଇ ଖେଳାଳି ଭବିଷ୍ୟତରେ ହୋଇପାରନ୍ତି ଭାରତର ଅଧିନାୟକ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ଗତ ଦୁଇ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନିଆଯାଇଥିଲା। ଏବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏଭଳି ପରିବର୍ତ୍ତନ ମଧ୍ୟରେ ଶାସ୍ତ୍ରୀ ଭବିଷ୍ୟତରେ ଭାରତୀୟ ଟିମ୍‌ର ଅଧିନାୟକ ନେଇ ନିଜର ରାୟ ଦେଇଛନ୍ତି। ସେ ଭବିଷ୍ୟତରେ ଦୁଇଜଣ ଖେଳାଳିଙ୍କୁ ଭାରତୀୟ ଦଳର ସୀମିତ ଓଭର ଟିମ୍‌ର ଅଧିନାୟକ ହେବାର ପ୍ରବଳ ଦାବିଦାର ବୋଲି କହିଛନ୍ତି। ସେମାନେ ହେଲେ କେ.ଏଲ. ରାହୁଲ ଏବଂ ଶ୍ରେୟସ ଆୟାର।

ଶାସ୍ତ୍ରୀ କହିଛନ୍ତି, କେ.ଏଲ୍‌. ଏବଂ ଶ୍ରେୟସଙ୍କ ଭଳି ଯୁବ ଖେଳାଳି ଦଳରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ରହିଛି। ଖାସ୍‌ କରି ସୀମିତ ଓଭର ଟିମ୍‌ର ଉଭୟ ଅଧିନାୟକ ହୋଇପାରନ୍ତି।

ଏହାଛଡ଼ା ନବ ନିଯୁକ୍ତ କୋଚ୍‌ ଦ୍ରାବିଡ୍‌ ନିଜର କାମ ବେଶ ଭଲ ଭାବେ ଜାଣନ୍ତି। ସେ ତାଙ୍କ କାମର ମଜା ନିଅନ୍ତୁ ବୋଲି ଶାସ୍ତ୍ରୀ କହିଛନ୍ତି।