
ଭବାନୀପାଟଣା,୧୪ା୨(ଉତ୍ତମ କୁମାର ଦାଶ):ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅପ୍ଡେଟ୍ ଶେଷ ତାରିଖ ଆସନ୍ତା ୧୫ ତାରିଖ ଶନିବାର ବୋଲି ଗତ ଜାନୁୟାରୀ ଶେଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ୧୪ ଲକ୍ଷ ୪ହଜାର ୨୫୮ ସଦସ୍ୟ ମଧ୍ୟରୁ ବୁଧବାର ସୁଦ୍ଧା ୧୨ଲକ୍ଷ ୨୫ହଜାର ୪୧୯ ଜଣ ଇ-କେୱାଇସି ଅପ୍ଡେଟ୍ କରିଥିବା ଜଣାପଡିଛି। ଅବଶିଷ୍ଟ୧ ଲକ୍ଷ ୭୮ହଜାର ୮୩୯ଜଣ ଅପ୍ଡେଟ୍ କରି ନାହାନ୍ତି। ବର୍ତ୍ତମାନ ଜିଲାର ପ୍ରତି ଗ୍ରାମରେ ସ୍ଥାନୀୟ ଯୋଗାଣ ସହାୟକମାନେ ଲୋକଙ୍କ ଇ-କେୱାଇସି ଅପ୍ଡେଟ୍ କରିବାରେ ଲାଗି ପଡିଛନ୍ତି। ଫଳରେ ଆସନ୍ତା ୩ଦିନରେ ଆହୁରି ଅନେକ ଲୋକ ଅପ୍ଡେଟ୍ରେ ଯୋଡିହେବେ। ଜିଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ ଶତକଡା ଇ-କେୱାଇସି ଅପ୍ଡେଟ୍ ହୋଇଥିବା ଜଣାପଡିଛି। ତେବେ ନେଟ୍ୱର୍କ ସମସ୍ୟା ଯୋଗୁ ଜିଲାର ଦୁର୍ଗମ ଅଞ୍ଚଳରେ ଲୋକେ ପାହାଡ, ବଡ ପଥର କିମ୍ବା ଗଛ ଉପରକୁ ଚଢି ଇ-କେୱାଇସି ଅପ୍ଡେଟ୍ କରୁଥିବା ଦେଖିବାକୁ ମିଳିଛି।
ଜିଲାରେ ଥୁଆମୂଳ ରାମପୁର, ଏମ୍ ରାମପୁର, ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଲକର ଦୁର୍ଗମ ୩୨ଟି ପଞ୍ଚାୟତ (ସେଣ୍ଟର) ଅଞ୍ଚଳରେ ନେଟ୍ୱର୍କ ସମସ୍ୟା ରହିଛି। ସେଠାରେ ନେଟ୍ଓ୍ବର୍କ ପାଇଁ ପାହାଡ ୍ଉପରକୁ ଚଢି ଲୋକଙ୍କ ଇ-କେୱାଇସି ଅପ୍ଡେଟ୍ କରାଯାଉଛି। ଏହି ସମୟରେ ହିତାଧିକାରୀଙ୍କ ରାଶନ କାର୍ଡରେ ଥିବା ନାଁ ଓ ଆଧାରକାର୍ଡ ଯାଞ୍ଚ ପରେ ଫିଙ୍ଗର ପ୍ରିଣ୍ଟ କିମ୍ଭା ଆଇସ୍କାନ୍ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି ସେମାନଙ୍କର ଯାଞ୍ଚ କରାଯାଉଛି। ପରେ ଇ-କେୱାଇସି ମାଧ୍ୟମରେ ଡିଲର ଅପଡେଟ୍ କରୁଛନ୍ତି। ଜିଲାର ଦୁର୍ଗମ ଥୂଆମୂଳ ରାମପୁର ବ୍ଲକର ୨୨ଟି ପଞ୍ଚାୟତରେ ଏହିସବୁ ସମସ୍ୟା ଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସେଠାରେ ୭୦ ଶତକଡା ଲୋକଙ୍କ ଇ-କେୱାଇସି ଅପ୍ଡେଟ୍ କରାଯାଇଥିବା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ପ୍ରକାଶ କରିଛନ୍ତି। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ କେତେଜଣ ବୃଦ୍ଧାବୃଦ୍ଧଙ୍କ ବାୟୋମେଟ୍ରିକ ମଧ୍ୟ ଆସୁ ନ ଥିବାରୁ ଇ-କେୱାଇସି ଅପ୍ଡେଟ୍ କରିବାରେ ସମସ୍ୟା ରହୁଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି ଓ ଶୀଘ୍ର ଏହା ଶେଷହେବ ବୋଲି ସେ କହିଥିଲେ। କଳାହାଣ୍ଡି ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)ରେ ୪ଲକ୍ଷ ୧ହଜାର ୯୮୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସ୍ଏଫ୍ଏସ୍ଏ)ରେ ୧୩ହଜାର ୭୮୨ ରାଶନ କାର୍ଡ ପାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ଇ-କେୱାଇସି ଅପ୍ଡେଟ୍ କରାଯିବାବେଳେ ଜିଲାର ୨୦୯୦ ସରକାରୀ ଚାକିରିଆ ଚିହ୍ନଟ ହୋଇଛନ୍ତି। ଏଥିରେ ଅଙ୍ଗନୱାଡି କର୍ମୀ, ଗୃହରକ୍ଷୀ, ଶିକ୍ଷକ ଆଦି ରହିଛନ୍ତି। ଏହାସହ ଇନ୍କମ୍ ଟାକ୍ସ ଦେଉଥିବା ୨୦୭୩ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି।