
ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍) ତଥ୍ୟ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଦେଉନାହାନ୍ତି। ଏପରି କି ମୁଖ୍ୟ ଶାସନ ସଚିବଙ୍କ ଏନେଇ ନିର୍ଦ୍ଦେଶ ରହିଥିଲେ ହେଁ ଠିକଣା ସମୟରେ ଏହା ସରକାରଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଫଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସମୟ ଭିତରେ ପଦୋନ୍ନତି ଏବଂ ସରକାରୀ ସହାୟତା ମିଳିପାରୁନାହିଁ। ତେଣୁ ଏନେଇ ବିଭାଗରେ ସଚେତନତା ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାଶ ସବୁ ବିଭାଗୀୟ ମୁଖ୍ୟ, ସମସ୍ତ ଆର୍ଡିସି ଓ ଜିଲାପାଳଙ୍କୁ ଏପ୍ରିଲ ୪ରେ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ଗ୍ରୁପ୍-କ ଏବଂ ଖ ବର୍ଗର ଅଧିକାରୀ ତାଙ୍କ ଇ-ପାର୍ ଦେବା ଲାଗି ୨୦୧୪-୧୫ରୁ ସରକାରୀସ୍ତରରେ ନିୟମ ଲାଗୁ ହୋଇଛି। ରାଜ୍ୟ ସରକାର ମଧ୍ୟ ଏହାକୁ ୨୦୧୫-୧୬ରୁ ବାଧ୍ୟତାମୂଳକ କରିଛନ୍ତି। ପ୍ରତିବର୍ଷ ମାର୍ଚ୍ଚ ସୁଦ୍ଧା ସେମାନଙ୍କ କାର୍ଯ୍ୟଦକ୍ଷତା, ଚରିତ୍ରଭିତ୍ତିକ ତଥ୍ୟ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏହାସତ୍ତ୍ୱେ ସେମାନେ ଇ-ପାର୍ ତଥ୍ୟ ଦେବାରେ ଚଞ୍ଚକତା କରୁଛନ୍ତି। ଫଳରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହୋଇପାରୁନାହିଁ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ୨୦୨୪ ଡିସେମ୍ବରରେ ସବୁ ବିଭାଗୀୟ ମୁଖ୍ୟ, ଜିଲାପାଳଙ୍କୁ ପତ୍ରଲେଖି ଅବଗତ କରାଇଥିଲେ। ଇ-ପାର୍ ରିପୋର୍ଟ କିଭଳି ଜଣେ ଅଧିକାରୀ ତଥା କର୍ମଚାରୀଙ୍କୁ ପଦୋନ୍ନତି ଏବଂ ଏମ୍ଏସିପି/ଆର୍ଏସିପି ପାଇବା କ୍ଷେତ୍ରରେ ସହାୟକ ହେବ ତାହା ଦର୍ଶାଇଥିଲେ। ହେଲେ ବାସ୍ତବ କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଗ୍ରୁପ୍-ଗ ବର୍ଗର କର୍ମଚାରୀଙ୍କ ସିସିଆର୍ ସରକାରଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଜ୍ଞତା ହେଉ କିମ୍ବା ଇଚ୍ଛାଶକ୍ତିର ଅଭାବ ଯୋଗୁ ସିସିଆର୍ ସରକାରଙ୍କ ନିକଟରେ ପହଞ୍ଚତ୍ପାରୁ ନ ଥିବାରୁ କର୍ମଚାରୀଙ୍କୁ ପଦୋନ୍ନତି କିମ୍ବା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରୁନାହିଁ।
ସୂଚନାଯୋଗ୍ୟ, ଜାନୁଆରୀ ୧୮ରେ ଅତିରିକ୍ତ ସଚିବ ଶଶାଙ୍କ ଏ ସଂକ୍ରାନ୍ତରେ ଏକ ଚିଠି ସବୁ ବିଭାଗୀୟ ମୁଖ୍ୟ, ଆର୍ଡିସି ଏବଂ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ସେ ଚିଠିରେ ଦର୍ଶାଇଥିଲେ ଯେ, ସରକାରୀ କର୍ମଚାରୀମାନେ କିଏ କେତେ କାର୍ଯ୍ୟ କଲେ ତା’ର ପୂର୍ଣ୍ଣାଙ୍ଗ ବିବରଣୀ ‘ଆଇଗଟ୍ କର୍ମଯୋଗୀ’ରେ ଦେବାକୁ ହେବ। ଏହି ରିପୋର୍ଟ ଆଧାରରେ କର୍ମଚାରୀଙ୍କ ପାରଦର୍ଶିତା ଜଣାପଡ଼ିବ। ଯେଉଁମାନେ ୪ ବର୍ଷ ସଫଳତାର ସହ କାର୍ଯ୍ୟ କରିଥିବେ ବୋଲି ରିପୋର୍ଟ ଆସିବ, ସେମାନଙ୍କୁ ଗୋଟିଏ ଲେଖାଏ ମାର୍କ ମିଳିବ। ସେହିପରି ଯେଉଁ କର୍ମଚାରୀମାନେ ୮ ବର୍ଷ କାର୍ଯ୍ୟ ସୁଚାରୁରୂପେ କରିଥିବା ଜଣାପଡ଼ିବ ତାଙ୍କୁ ୨ ମାର୍କ, ୧୨ ବର୍ଷ କାର୍ଯ୍ୟ ସୁଚାରୁରୂପେ କଲେ ୩ ମାର୍କ ମିଳିବ। ୧୬ ବର୍ଷ ସୁଚାରୁରୂପେ କାର୍ଯ୍ୟ କଲେ ୪ ଏବଂ ୨୦ ବର୍ଷ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିଥଲେ ୫ ମାର୍କ ପ୍ରଦାନ କରାଯିବ। ଏହି ପାରାମିଟରରେ କର୍ମଚାରୀଙ୍କ ଦକ୍ଷତା ମପାଯିବ ବୋଲି ଦାଶ ଦର୍ଶାଇଥିଲେ। ସରକାରଙ୍କ ପକ୍ଷରୁ ଏତେସବୁ ସୁଯୋଗ ସୃଷ୍ଟି କରାଯାଉଥିଲେ ହେଁ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବାର୍ଷିକ ପର୍ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ ଦେବାରେ ଅବହେଳା କରୁଛନ୍ତି। ଏହାପଛରେ ସେମାନଙ୍କ ଅଭିସନ୍ଧି ଲୁଚି ରହୁଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।