ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭର୍ଚୁଆଲ୍‌ରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡ୍‌ ସମୟରେ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନ ଏବଂ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସ୍‌ରେ ଏହା ବିଶେଷ ସହାୟକ ହେବ। ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷା ଅଗ୍ରଗତିର ସମୀକ୍ଷା କରିପାରିବେ। ଗତବର୍ଷ ବିଭିନ୍ନ ପ୍ରୟାସ ସତ୍ତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଦୁର୍ଗମ ଅଞ୍ଚଳରେ ଥିବା ପିଲା ପାଖରେ କିପରି ଶିକ୍ଷା ପହଞ୍ଚାଇବା ତାହା ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

Share