ବିପିନ ବିହାରୀ ରାଉତ
ଓଡ଼ିଶାର ଜନମତ ଓ ନିର୍ଭୀକ ନିରପେକ୍ଷ ଦୈନିକ ‘ଧରିତ୍ରୀ’ ଗତବର୍ଷ ଏକ ଆନ୍ଦୋଳନକୁ ଓହ୍ଲାଇ ଥିଲା। ତାହା ଥିଲା ଆମମାନଙ୍କ ଭିତରେ ଆବର୍ଜନା ସୃଷ୍ଟି କରୁଥିବା ଓ ପଲିଥିନ୍ ପ୍ରତି ଥିବା ଦୁର୍ବଳତାର ବିରୁଦ୍ଧରେ। ଲଗାତର ପ୍ରତିଦିନ ଭାରତର ବିଭିନ୍ନ ପ୍ରାନ୍ତରରେ ଥିବା ‘ଧରିତ୍ରୀ’ର ବିମୁଗ୍ଧ ପାଠକମାନେ ଏଥିରେ ସାମିଲ ହୋଇ ‘ଧରିତ୍ରୀ’ ଖବରକାଗଜକୁ ବ୍ୟବହାର କରି ଆକର୍ଷଣୀୟ ହସ୍ତନିର୍ମିତ କାଗଜ ବ୍ୟାଗ୍ ତିଆରି କରି ଏହି ଖବରକାଗଜକୁ ପଠାଉଥିଲେ। ଖବରକାଗଜ କେବଳ ଯେ ଲୋକମାନଙ୍କ ଖବର ପଢ଼ିବା ପାଇଁ ତାହା ନୁହେଁ ବରଂ ସମାଜ ପାଇଁ ଏକ ବିକାଶର ନୂଆ ଆନ୍ଦୋଳନ, ନୂଆ ଚିନ୍ତନ ଲାଗି ଖୋରାକ ଯୋଗାଇପାରେ ଏହା ପ୍ରଥମତଃ ପ୍ରମାଣ କରିଛି ଲୋକପ୍ରିୟ ‘ଧରିତ୍ରୀ’। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳକାରଖାନାରୁ ବିଷାକ୍ତ ଜଳ ବାହାରି ନଦୀ ଇତ୍ୟାଦିରେ ମିଶି ପାଣିକୁ ବିଷାକ୍ତ କରୁଛି। କାରଖାନାରୁ ନିର୍ଗତ ଧୂଆଁ ବାୟୁକୁ ପ୍ରଦୂଷିତ କରୁଛି। ପ୍ରତିଦିନ ବିଶ୍ୱରେ ପ୍ରାୟ ଚଉଦ ହଜାର ଲୋକ ଦୂଷିତ ପାଣି ପିଇ ମରୁଛନ୍ତି। ସାତଶହ ନିୟୁତ ଭାରତୀୟଙ୍କର ଉପଯୁକ୍ତ ଶୌଚାଳୟ ନାହିଁ। ଏହାଛଡ଼ା ଭାରତରେ ପ୍ରତିଦିନ ଏକ ହଜାର ଲୋକ ହଇଜାରେ ମରୁଛନ୍ତି। ଚାଇନାରେ ପ୍ରତିବର୍ଷ ପାଞ୍ଚ ନିୟୁତ ଲୋକ ଉପଯୁକ୍ତ ପାନୀୟ ଜଳ ପାଆନ୍ତି ନାହିଁ ଓ ବାୟୁ ପ୍ରଦୂଷିତ ହେବା ଯୋଗୁ ଏଠାରେ ପ୍ରତି ବର୍ଷ ପ୍ରାୟ ୬୫୬ ହଜାର ଲୋକ ମରନ୍ତି। ତେବେ ଉଦ୍ବେଗଜନକ ଭାବେ ଦିନକୁ ଦିନ ଇ-ଆବର୍ଜନାର ପାହାଡ଼ ଆମ ଆଖପାଖର ପରିବେଶକୁ ଅସ୍ତବ୍ୟସ୍ତ କରୁଛି।
ଆମେ ହାତରେ ଧରୁଥିବା ଜୀବନ୍ତ ମୋବାଇଲ୍ ଫୋନ, ଆଇପ୍ୟାଡ୍ ବା ଆଇପଡ୍ ଅଥବା ଘରେ ନିତି ଦିନ ଗହଳ ଚହଳ କରୁଥିବା ଜୀବନ୍ତ ଟେଲିଭିଜନ ବା କମ୍ପ୍ୟୁଟର ଅବଶ୍ୟ ଦିନେ ମରିବେ। କିନ୍ତୁ ଏହି ମୃତକମାନଙ୍କ ଦେହାବଶେଷ ମାଟିରେ ମିଶିଯିବ ନାହିଁ। ଏହା ପଡ଼ି ରହିବ ଏବଂ ଆବର୍ଜନାର ପାହାଡ଼ ସୃଷ୍ଟି କରିବ ଏ ପୃଥିବୀ ଉପରେ। ଏଭଳି ଆବର୍ଜନାର ପାହାଡ଼ ଯେ କି ବିଶାଳ ହୋଇପାରେ ତା’ର ଏକ ଚିତ୍ର ଏବେ ଆମକୁ ଜାଣିବାକୁ ମିଳିଛି। ଏଇ ନିକଟରେ ଜାତିସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଇଲେକ୍ଟ୍ରୋନିକ୍ ଏବଂ ଇଲେକ୍ଟ୍ରିକାଲ୍ ଆବର୍ଜନାର (ଗୋଟିଏ ବ୍ୟାଟେରି ଠାରୁ ଆରମ୍ଭ କରି ମୋବାଇଲ, କମ୍ପ୍ୟୁଟର, ଫୋନ ଦେଇ ଛୋଟ କର୍ଡ ପର୍ଯ୍ୟନ୍ତ) ମାନଚିତ୍ରରେ ଏହି ଆବର୍ଜନା ସ୍ତୂପର ଆକାର ଓ ବିଶାଳତା ସମ୍ପର୍କରେ ସମ୍ୟକ୍ ସୂଚନା ମିଳିଛି। ସେଥିରେ କୁହାଯାଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିର ପରିମାଣ ସର୍ବାଧିକ। ଏହା ହେଉଛି ମୁଣ୍ଡ ପିଛା ୨୯.୮ କେ.ଜି.। ଚାଇନାରେ ଏହି ପରିମାଣ ହେଉଛି ମୁଣ୍ଡ ପିଛା ୫.୪ କେ.ଜି.। ବ୍ରିଟେନ୍ରେ ଏହି ପରିମାଣ ହେଉଛି ମୁଣ୍ଡ ପିଛା ୨୨ କିଲୋ। ସମଗ୍ର ପୃଥିବୀ ଉପରେ ଇ-ଆବର୍ଜନାର ପାହାଡ଼ ଲଦି ଥିବା ଶୀର୍ଷ ଦେଶଗୁଡ଼ିକ ଭିତରେ ସର୍ବପ୍ରଥମେ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହା ପଛରେ ଚାଇନା, ଜାପାନ ଓ ଜର୍ମାନ ବି ରହିଛି। କେବଳ ଗତବର୍ଷ ଅର୍ଥାତ୍ ୨୦୧୯ରେ ୪୯.୭ଟନ୍ର ଇ-ଆବର୍ଜନା ପୃଥିବୀ ଉପରେ ଭାର ଦେଇଛି। ପୃଥିବୀର ସମସ୍ତ ମହାଦେଶ ଭିତରେ ଏସିଆ ମହାଦେଶର ସ୍ଥାନ ଏହି ଇ-ଆବର୍ଜନା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି। କେବଳ ଏସିଆ ମହାଦେଶରେ ପ୍ରତି ବ୍ୟକ୍ତି ପିଛା ୩.୭ କିଲୋଗ୍ରାମର ଇ-ଆବର୍ଜନା ସୃଷ୍ଟି ହେଉଛି। ସେଥିଭିତରୁ ଭାରତର ପରିମାଣ ହେଉଛି ୧.୭ଟନ୍।
ଏହି ମାନଚିତ୍ରରୁ ଜଣାପଡ଼ିଛି ଯେ, ପୃଥିବୀରେ ପ୍ରତି ବର୍ଷ ସୃଷ୍ଟି ହେଉଛି ୪୮.୯ ନିୟୁତ ଟନ୍ ଓଜନର ଇ-ଆବର୍ଜନା। ତା’ ଅର୍ଥ ପୃଥିବୀର ୭୦୦ କୋଟି ଲୋକଙ୍କ ମୁଣ୍ଡ ପିଛା ଇ-ଆବର୍ଜନାର ପରିମାଣ ହେଉଛି ୭ କେ.ଜି.। ଏହି ଆବର୍ଜନା ଭିତରୁ ସବୁଠାରୁ ଅଧିକ ହେଉଛି ମୋବାଇଲ ଫୋନ୍, ଯାହାର ପରିମାଣ ହେଲା ୧୨୦ ନିୟୁତ ଟନ୍। ଏଥିରେ ଭବିଷ୍ୟବାଣୀ କରାଯାଇଛି ଯେ, ୨୦୨୭ ବେଳକୁ ଏହା ୩୩ ପ୍ରତିଶତ ହାରରେ ବୃଦ୍ଧି ପାଇ ପହଞ୍ଚତ୍ଥିବ ୬୫.୯ ନିୟୁତ ମେଟ୍ରିକ୍ ଟନ୍ରେ। ଏହି ଆବର୍ଜନାର ଓଜନ ୨୦୦ଟି ଏମ୍ପାୟାର ଷ୍ଟେଟ୍ ବିଲଡିଂ ବା ଇଜିପ୍ଟର ୧୧ଟି ଅତିକାୟ ଗୀର୍ଜା ପିରାମିଡ୍ର ଓଜନ ସହିତ ସମାନ ହେବ। ଯଦି ଏହି ଆବର୍ଜନାକୁ କେଉଁଠାକୁ ନେବାକୁ ପଡ଼େ ତେବେ ୪୦ଟନ୍ ମାଲ୍ ବୋହିବାକୁ ସକ୍ଷମ ଥିବା ବିଶାଳ ଟ୍ରକଗୁଡ଼ିକର ଯେଉଁ ଲମ୍ବାଧାଡ଼ି ଲାଗିବ ତାହା ପୃଥିବୀର ବିଷୁବ ରେଖା ଦୈର୍ଘ୍ୟର ତିନି ଚତୁର୍ଥାଂଶ ହେବ। ୨୦୧୨ରେ ଚାଇନା ସବୁଠାରୁ ଅଧିକ ଇ-ଆବର୍ଜନା ସୃଷ୍ଟି କରିଥିଲା। ତା’ର ପରିମାଣ ଥିଲା ୧୧.୧ ନିୟୁତ ଟନ୍। ଯୁକ୍ତରାଷ୍ଟ୍ର ଆମେରିକା ଥିଲା ଦ୍ୱିତୀୟ ସ୍ଥାନରେ। ଏବେ ଏ କ୍ରମ ବଦଳି ଯାଇଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକା ୯.୪ ନିୟୁତ ଟନ୍ ଇ-ଆବର୍ଜନା ସୃଷ୍ଟି କରି ପ୍ରଥମ ସ୍ଥାନରେ ରହିଛି। ତେବେ ଆମେରିକା ଓ ଚାଇନାର ଜନସଂଖ୍ୟା ଭିତରେ ବହୁତ ତାରତମ୍ୟ ଥିବାରୁ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିରେ ଆମେରିକା ଚାଇନାର ପ୍ରାୟ ପାଞ୍ଚଗୁଣ। ଭାରତରେ ବର୍ଷକୁ ୨୭୫୧ ମେଟ୍ରିକ୍ କିଲୋ ଟନ୍ (ଏକ କିଲୋଟନ୍ ହେଉଛି ୧୦୦୦ ଟନ୍) ଇ ଆବର୍ଜନା ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଗୋଟିଏ ବଡ଼ ସଂକଟଜନକ କଥା ଜାତିସଂଘ ପକ୍ଷରୁ କୁହାଯାଇଛି। ତାହା ହେଲା ପାଶ୍ଚାତ୍ୟର ବିଶାଳ ଇ-ଆବର୍ଜନାର ଗଦା ବୋଝେଇ ହୋଇ ଭାରତରେ ପହଞ୍ଚତ୍ବାର ସମ୍ଭାବନା ସବୁଠାରୁ ଅଧିକ। କାରଣ ଇ-ଆବର୍ଜନାକୁ ନଷ୍ଟ କରିବା ଲାଗି ଲୋଡ଼ା ସ୍ବତନ୍ତ୍ର ପ୍ରକାର ଫର୍ନେସ ଏଇ ବର୍ଷଠାରୁ ଚାଇନା ଓ ମାଲେସିଆରେ ବନ୍ଦ ହୋଇଯିବ। କେବଳ ଭାରତରେ ଏ ସୁବିଧା ମିଳୁଥିବାରୁ ବିକଶିତ ଦେଶମାନେ ଭାରତକୁ ସେମାନଙ୍କ ଇ-ଆବର୍ଜନା ଡମ୍ପିଙ୍ଗ ଗ୍ରାଉଣ୍ଡରେ ପରିଣତ କରିଦେବେ। ଏହା ଭାରତ ଲାଗି ବିପଜ୍ଜନକ ହୋଇପାରେ। କାରଣ ଇ-ଆବର୍ଜନାରୁ ବିକିରଣ ସହିତ ବିଭିନ୍ନ ମାରାତ୍ମକ ବିଷାକ୍ତ ପଦାର୍ଥ (ସୀସା, ଆର୍ସେନିକ୍, ଲିଥିଅମ୍ ଆଦି) ମିଶି ରହିଥାଏ, ଯାହା ପ୍ରକୃତି ଓ ପରିବେଶକୁ ପ୍ରଦୂଷିତ କରି ଚାଲିଥାଏ।
କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ଯେଉଁପରି ଭାବରେ ବହୁଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ବଢ଼ୁଛି ସେଠି ଶାନ୍ତ ସୁଶୀତଳ ପରିବେଶ କୁହାଯାଉଥିବା କ୍ଷେତ୍ର ବି ଏହି ଇଲେକ୍ଟ୍ରୋନିକ୍ସ ବିପଦର ବୋଝରୁ ନିସ୍ତାର ପାଇବେ ନାହିଁ। ସେହିପରି ବ୍ୟାପକ ଭାବରେ ଛତୁ ଫୁଟିଲା ପରି ଯେଉଁପରି ମୋବାଇଲ ଟାୱାର ବସାଯାଉଛି ତାହା ବି ଏହି ଇଲେକ୍ଟ୍ରୋନିକ୍ସ ଆବର୍ଜନାର ଅନ୍ୟତମ କାରଣ। ଭବିଷ୍ୟତ ଲାଗି ଇ-ଆବର୍ଜନା ଯେ ଏକ ବିରାଟ ସମସ୍ୟାରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ। ଏହା ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ରୂପେ ଛିଡ଼ା ହେବ। ଏହା ବି ସତ ଯେ ଏବର ଜୀବନ ଶୈଳୀ ଏବଂ ଅଭ୍ୟାସ ବଦଳିବାର କୌଣସି ସମ୍ଭାବନା ନ ଥିବାରୁ ଏ ସମସ୍ୟାର ତୀବ୍ରତା ହ୍ରାସ ହେବା ସହଜ ନୁହେଁ। ତେବେ ପୁନଃ ଚକ୍ରଣ ଜରିଆରେ ଏ ସମସ୍ୟାର ଆଂଶିକ ସମାଧାନ ହୁଏତ ସମ୍ଭବ। କିନ୍ତୁ ଭୋଗବାଦୀ ମାନସିକତାର ଏ ଲକ୍ଷଣ ପୃଥିବୀର ଭବିଷ୍ୟତକୁ ବିପନ୍ନ କରିବାର ଆଶଙ୍କା ଅମୂଳକ ନୁହେଁ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ
ମୋ : ୯୪୩୭୬୬୬୪୫୩