ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁର

ଅନୁଗୋଳ ଅଫିସ, ୩୧।୮: ଶିକ୍ଷାନୁଷ୍ଠାନରେ ଶେଷ ହୋଇଛି ସାଜସଜ୍ଜା। ଲାଗିଛି ରଙ୍ଗବେରଙ୍ଗର ମାଳ ମାଳ ପତାକା। ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁରତାର ସହ ଅପେକ୍ଷା କରିଛନ୍ତି ଛାତ୍ରୀଛାତ୍ର। କରୋନା ପରେ ପ୍ରଥମ ଥର ପାଇଁ ସେମାନେ ଶିକ୍ଷାନୁଷ୍ଠାନରେ ପୂଜା ପାଳନ କରିବାକୁ ଯାଉଥିବାରୁ ସମସ୍ତଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ସେହିପରି ଅନୁଗୋଳ ସହର ମଧ୍ୟ ଝଲସୁଛି ରଙ୍ଗିନ ଆଲୋକମାଳାରେ। ସହରର ଶିମିଳିପଡ଼ା, ଅମଲାପଡ଼ା, ବଜାର ଛକ, ତାମ୍ରିତ କଲୋନୀ, ହୁଲୁରିସିଂହା, ରାଜକିଶୋରପଡ଼ା, ହେମସରପଡ଼ା ଓ କଲେଜ ଛକ ଆଦି ୩୦ରୁ ଅଧିକ ସ୍ଥାନରେ ଧୁମ୍‌ଧାମରେ ପୂଜା ପାଳନ କରାଯିବ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି। ପୂଜା ସହ ପ୍ରାୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ଏଥିସହ ମିନାବଜାର, ମେଳା ଆଦି ପଡ଼ିଥିବାରୁ ସହରବାସୀଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଗତ ୨ ବର୍ଷ ହେଲା କଟକଣା ମଧ୍ୟରେ ପୂଜା ଉତ୍ସବ ଆଦି ପାଳନ କରାଯାଇଥିବାରୁ ସେପରି ଆଡ଼ମ୍ବର ଦେଖିବାକୁ ମିଳି ନ ଥିଲା। ଛାତ୍ରୀଛାତ୍ରମାନେ ମଧ୍ୟ ସ୍କୁଲ, କଲେଜରେ ଏହା ପାଳନ କରିପାରି ନ ଥିଲେ। ହେଲେ ଏଥର ସେପରି ନିରାଶାଜନକ ସ୍ଥିତି ନାହିଁ। ତେଣୁ ସମେସ୍ତ ଧୁମ୍‌ଧାମ୍‌ରେ ପୂଜା ପାଳିବାକୁ ଅତି ଆଗ୍ରହୀ ହୋଇପଡ଼ିଛନ୍ତି।

 

ନୂଆ ଲାଗୁଛି କଲେଜ ପରିବେଶ
ବିଘ୍ନରାଜଙ୍କ ପୂଜା ପାଇଁ କଲେଜ ସମ୍ପୂର୍ଣ୍ଣ ସଜେଇ ହୋଇଛି। କେତେବେଳେ କଲେଜ ଯିବୁ ଓ ପୂଜାରେ ସମସ୍ତେ ସାମିଲ ହେବୁ ତାହାକୁ ଅପେକ୍ଷା କରିଛୁ। ୨ ବର୍ଷ ପରେ ଏପରି ପରିବେଶ ନୂଆ ନୂଆ ଲାଗୁଛି।
-ଶୁଭଶ୍ରୀ ମଧୁସ୍ମିତା, କଲେଜ ଛାତ୍ରୀ, ଅନୁଗୋଳ
ଧୁମ୍‌ଧାମରେ ପାଳନ କରିବୁ
ପ୍ରତିବର୍ଷ ଗଜାନନଙ୍କ ପୂଜା ପାଳନ କରାଯାଉଛି। ହେଲେ ଚଳିତବର୍ଷ କଥା ସମ୍ପୂର୍ଣ୍ଣ ନିଆରା। କାରଣ କରୋନା ପାଇଁ ଗତ ୨ ବର୍ଷ ଧରି ଛାତ୍ରୀଛାତ୍ରମାନେ ପୂଜାରେ ଏକାଠି ହୋଇପାରି ନ ଥିଲେ। ହେଲେ ଏଥର ଧୁମ୍‌ଧାମରେ ପାଳନ ହେବ।
-ସତ୍ୟବ୍ରତ ବେହେରା, କଲେଜ ଛାତ୍ର, ଅନୁଗୋଳ
ଅନୁମତି ନେଇ ଆଶାବାଦୀ ଥିଲୁ
କରୋନା ପରେ ଏବେ ସବୁକିଛି ପୂର୍ବସ୍ଥିତିକୁ ଫେରୁଛି। ତେଣୁ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀମାନେ ପୂଜା ପାଳନ କରିବା ଉପରେ ଆଉ ସରକାର କଟକଣା ଲଗାଇବେ ନାହିଁ ବୋଲି ଆଶା କରିଥିଲୁ। କଟକଣା ହଟିଥିବାରୁ ଏଥର ଆଡ଼ମ୍ବରରେ ପୂଜା କରାଯିବ।
-ଗାୟତ୍ରୀ ପ୍ରଧାନ, କଲେଜ ଛାତ୍ରୀ, ଅନୁଗୋଳ
ପୂଜାର ମଜା ଉଠାଇବୁ
ପୂଜାରେ ବୁଲାବୁଲି କରିବାର ମଜା ଅଲଗା। ସାଙ୍ଗମାନଙ୍କ ସହ ପୂଜାରେ ସାମିଲ ହେବା ପରେ ସହରର ବିଭିନ୍ନ ମଣ୍ଡପ ବୁଲି ପୂଜା ଦେଖିବୁ। ମିନାବଜାର, ମେଳାରେ କିଣାକିଣି କରିବୁ। କଟକଣା ହଟିଯାଇଥିବାରୁ ବହୁ ଖୁସି।
-ଶିବଶଙ୍କର ପାଳ, କଲେଜ ଛାତ୍ର, ଅନୁଗୋଳ
ଏଥର ବିଳମ୍ବ କରାଯିବନି
କଲେଜରେ ପୂଜା ପାଳନ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ୨ ବର୍ଷ ହେଲା ପୂଜାରେ ସାମିଲ ହେବାରୁ ବଞ୍ଚିତ ରହିଥିବାରୁ ଏଥର ବିଳମ୍ବ ନ କରି ଶୀଘ୍ର ପୂଜା ସାରିଦେବୁ। ଏହାପରେ ସାଙ୍ଗମାନଙ୍କ ସହ ବୁଲିବାକୁ ବାହାରିଯିବୁ।
-ଅର୍ପିତା ସାହୁ, କଲେଜ ଛାତ୍ରୀ, ଅନୁଗୋଳ