ଏମିତି କେତେଜଣଙ୍କ ବିଷୟରେ ଜାଣିଥିବେ ଯେଉଁମାନଙ୍କ ଶରୀର ଇଲାଷ୍ଟିକ ପରି ନମନୀୟ ହୋଇଥାଏ। ସେମାନେ ନିଜ ଶରୀରକୁ ଭିନ୍ନ ଭିନ୍ନ ଢଙ୍ଗରେ ମୋଡି ପାରନ୍ତି। କେହି କେହି ତ ଶରୀରର ଚର୍ମକୁ ବି ଟାଣି ପାରନ୍ତି। ରବର ପରି ଶରୀର ଥିବା ସେମିତି ଜଣେ ମହିଳା ଅଛନ୍ତି ଟୋକିଓରେ। ନାଁ ତାଙ୍କର ଅୟୁମି ଟକାଡା। ୩୭ ବର୍ଷୀୟା ଅୟୁମିଙ୍କ କାନ ଫଳି ବା ଇୟର ଲୋବ ବେଶ୍ ନମନୀୟ। ଆଉ ଏହି କଥା ସେ ସ୍କୁଲରେ ପଢିବାବେଳେ ଅନୁଭବ କରିପାରିଥିଲେ। ଥରେ ସେ ସ୍କୁଲରୁ ଫେରିବାବେଳେ ବର୍ଷା ହେଲା। ସେତେବେଳେ ତାଙ୍କ ଦୁଇ ହାତରେ ଜିନିଷ ଥାଏ। ତେଣୁ ଛତା କେମିତି ଧରିବେ ଜାଣିପାରିଲେ ନାହିଁ। ଆଉ ଶେଷରେ ଚିନ୍ତା କଲେ ସେ ତାଙ୍କ କାନ ଫଳିରେ ଛତାର ବେଣ୍ଟକୁ ଗୁଡେଇକି ଧରିବେ। ସେଥିପାଇଁ କାନ ଫଳିକୁ ଟାଣି ଛତା ବେଣ୍ଟରେ ଗୁଡାଇଲେ। ଆଉ ସେ ଏଥିରେ ସଫଳ ହେଲେ। ବର୍ଷାରୁ ରକ୍ଷା ବି ପାଇପାରିଲେ। ଏହାପରଠାରୁ ନିଜ କାନଫଳିର ଏହି ବିଶେଷତ୍ୱର ଫାଇଦା ଉଠାଇବାକୁ ଲାଗିଲେ। ଆଉ ଏବେ ସେ ସେଲ୍ଫି ଷ୍ଟିକ, କାଲିଗ୍ରାଫି ବ୍ରଶ ଆଦି କାନ ଫଳିରେ ଗୁଡେଇ ଧରି ଫଟୋ ଉଠାଇବା ସହ ଅନ୍ୟ ବହୁତ କାମ ସହଜରେ କରିପାରୁଛନ୍ତି। ଅୟୁମିଙ୍କ କାନଫଳି ୪.୫ସେ.ମି. ପର୍ଯ୍ୟନ୍ତ ଲମ୍ବିପାରେ। ଫଳରେ ଦୁଇ ହାତ ଫୁଲ୍ ଥିବାବେଳେ ସେ ଅନେକ ଜିନିଷକୁ ଏଥିରେ ଗୁଡେଇ ଧରି ପାରନ୍ତି। ଏମିତି କଲେ ତାଙ୍କୁ କିଛି କଷ୍ଟ ବି ହୋଇ ନ ଥାଏ ବୋଲି ସେ କୁହନ୍ତି।