ବିପଦରେ ପୃଥିବୀ: କରୋନା ଯୋଗୁ ସୃଷ୍ଟି ହେବାରେ ଲାଗିଛି ନୂଆ ସଙ୍କଟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୭: କରୋନା ମାହାମାରୀ ଯୋଗୁ ପୃଥିବୀ ଉପରେ ପୁଣି ଏକ ବିପଦ ମାଡ଼ି ଆସୁଛି। ଏବେ ଏହା ଦ୍ୱାରା ନୂଆ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ଗ୍ଲୋଭସ୍‌ର ବ୍ୟବହାର କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଏସବୁକୁ ବ୍ୟବହାର ପରେ ଫିଙ୍ଗିବା ଦ୍ୱାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଅଗଷ୍ଟ ୧୫ରେ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୨୨ ସୁଦ୍ଧା ଦେଶରେ ଏହାର ବ୍ୟବହାର ହେବନାହିଁ ବୋଲି ମଧ୍ୟ କହିଥିଲେ। ତେବେ ଏହାର ଠିକ୍‌ ୧୬୮ ଦିନ ପରେ ଜାନୁୟାରୀ ୩୦ରେ ଭାରତରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ପୃଥିବୀର ୨୦୬ ଦେଶରେ କରୋନା ପହଞ୍ଚିସାରିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ୍‌, ଗ୍ଲୋଭସ୍‌, ପିପିଇ କିଟ୍‌, ଫେସ୍‌ ଶିଲ୍ଡ ଆଦିର ଚାହିଦା ବଢ଼ିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପ୍ରତିମାସରେ ପୃଥିବୀରେ ୯୦ ଲକ୍ଷରୁ ଅଧିକ ମାସ୍କ୍‌, ୭୬ ଲକ୍ଷରୁ ଅଧିକ ଗ୍ଲୋଭସ୍‌ ଏବଂ ପ୍ରାୟ ୧୬ ଲକ୍ଷ ଗଗଲ୍ସ୍‌ର ଆବଶ୍ୟକ ପଡୁଛି। କେବଳ ଭାରତରେ ସାଢ଼େ ୪ ଲକ୍ଷରୁ ଅଧିକ ପିପିଇ କିଟ୍‌ ପ୍ରତିଦିନ ନିର୍ମିତ ହେଉଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏସବୁର ବ୍ୟବହାର କରାଯାଉଛି। କିନ୍ତୁ ଏସବୁ ସହଜରେ ମାଟିରେ ମିଶି ପାରି ବ ନାହିଁ। ଏକ ରିପୋର୍ଟ ଅନୁସାରେ ଯଦି ଏସବୁର ଏକ ପ୍ରତିଶତ ମାଟିରେ ନ ମିଶେ ତେବେ ଗୋଟିଏ ମାସରେ ୪୦ ହଜାର କିଲୋ ବର୍ଜ୍ୟବସ୍ତୁ ସୃଷ୍ଟି ହେବ। ପିପିଇ କିଟ୍‌ ପ୍ଲାଷ୍ଟିକରୁ ନିର୍ମିତ ହେଉଛି। ଏହା ମାଟିରେ ନଷ୍ଟ ହେବା ପାଇଁ ୪୫୦ ବର୍ଷ ସମୟ ଲାଗିବ। ପ୍ରତିବର୍ଷ ସମୁଦ୍ରକୁ ୮୦ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ଯାଉଛି। ଏହି ଧାରା ଜାରି ରହିଲେ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ତୁଳନାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଅଧିକ ମିଳିବ। ୨୦୨୨ ସୁଦ୍ଧା ପ୍ରତିଦିନ କେବଳ ଭାରତରୁ ୭୭୫ ଟନ୍‌ ମେଡ଼ିକାଲ ବର୍ଜ୍ୟ ସୃଷ୍ଟି ହେବ। ଏବେ ପ୍ରତିଦିନ ଏହାର ପରିମାଣ ୫୫୦ ଟନ୍‌ ରହିଛି।

Share