ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ପୃଥିବୀ…

ମସ୍କୋ,୧୩।୭ : ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନ ପାଇଁ ଏକ ସୁରକ୍ଷା ପ୍ୟାକେଜ ସ୍ବାକ୍ଷରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଡଭେଡେଭ ଚେତାବନୀ ଦେଇଛନ୍ତି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ନିକଟତର ହେବାକୁ ଯାଉଛି। କ୍ରେମଲିନର ଶକ୍ତିଶାଳୀ ସୁରକ୍ଷା ପରିଷଦର ଡେପୁଟି ସେକ୍ରେଟାରୀ ମେଡଭେଡେଭ କହିଛନ୍ତି ରୁଷିଆ ଏହାର ଲକ୍ଷ୍ୟ ହାସଲ କରିବା ନେଇ ଅଟକି ଯିବ ନାହିଁ।

ଲିଥୁଆନିଆରେ ନାଟୋ ଶିଖର ସମ୍ମିଳନୀ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ମେଡଭେଡେଭ ଟେଲିଗ୍ରାମରେ କହିଛନ୍ତି, ସମ୍ପୂର୍ଣ୍ଣ ପାଗଳ ପାଶ୍ଚାତ୍ୟ ଅନ୍ୟ କିଛି ଚିନ୍ତା କରିପାରିବ ନାହିଁ। ଏହା ଏକ ଶେଷ ଅନ୍ତ। ତୃତୀୟ ବିଶ୍ୱଯୁଦ୍ଧ ପାଖେଇ ଆସୁଛି। ପୃଥିବୀ ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ହେବାରେ ଲାଗିଛି।

ବ୍ରିଟେନ, ଆମେରିକା, ଜାପାନ, କାନାଡା, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀର ନେତାମାନେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆର୍ଟିଲିରି, ସଶସ୍ତ୍ର ଯାନ ଯୋଗାଇବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏଥି ସହିତ ବ୍ରିଟେନ ଆହୁରି ଅଧିକ ୟୁକ୍ରେନ ପାଇଲଟଙ୍କୁ ତାଲିମ ଦେବ।

ମେଡଭେଡେଭ ବାରମ୍ବାର ପରମାଣୁ ଯୁଦ୍ଧକୁ ଧମକ ଦେଉଛନ୍ତି। ଏକ ସପ୍ତାହ ପୂର୍ବରୁ ସେ ଚେତାବନୀ ଦେଇଥିଲେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି ଏବଂ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ପାଶ୍ଚାତ୍ୟ ଦେଶ ଏଥିପାଇଁ ଦାୟୀ। ୟୁକ୍ରେନକୁ ସହାୟତା ଦେବା ଅତ୍ୟନ୍ତ ନକାରାତ୍ମକ ପରିଣାମ ଦେବ। ରୁଷିଆର ସୁରକ୍ଷା ବିରୋଧରେ ୟୁକ୍ରେନ ସହାୟତାକୁ ବିବେଚନା କରାଯିବ।

Share