Categories: ଜାତୀୟ

ଏନସିପିରେ ପୁଣି ଭୂକମ୍ପ: ଶରଦ ପାଓ୍ବାରଙ୍କୁ ଭେଟିବାକୁ ପହଞ୍ଚିଲେ ଛଗନ-ଆଦିତି-ହସନ…

ମୁମ୍ବାଇ,୧୬।୭ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏନସିପିକୁ ନେଇ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ଅଜିତ ପାୱାର ଦଳର ବିଧାୟକମାନେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିବା ପାଇଁ ଓ୍ବାଇବି ଚୌହ୍ବାନ କେନ୍ଦ୍ରରେ ପହଞ୍ଚିଛନ୍ତି ବୋଲି ଖବର ପ୍ରକାଶ ପାଇଛି। କେନ୍ଦ୍ରରେ ପହଞ୍ଚିଥିବା ନେତା ମାନଙ୍କ ମଧ୍ୟରେ ଛଗନ ଭୁଜବଲ, ଆଦିତି ନଟକରେ, ହାସନ ମଶରିଫ ଅଛନ୍ତି।

ଏନସିପିକୁ ହାତେଇବା ପାଇଁ ଲଢ଼େଇ ଜାରି ରହିଛି। ଜୁଲାଇ ୨ ରେ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନଡିଏରେ ଯୋଗଦେବାକୁ ଘୋଷଣା କରିଥିଲେ। ସେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ଅଜିତ ପାୱାରଙ୍କ ଦଳ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛି। ବର୍ତ୍ତମାନ ଉଭୟ ଦଳ ନିଜର ଦାବି ରଖିଛନ୍ତି। ଏହା ବ୍ୟତୀତ ଉଭୟ ଦଳ ମଧ୍ୟ ଏହି କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏନଡିଏରେ ଯୋଗ ଦେଇଥିବା ନଅ ବିଦ୍ରୋହୀ ମନ୍ତ୍ରୀ ହୋଇଥିଲେ। ଦଳର ନିଷ୍ପତ୍ତିରେ ବିରକ୍ତ ହୋଇ ଅଜିତ ପାୱାର ହଠାତ ଏନଡିଏରେ ଯୋଗଦେବାକୁ ଘୋଷଣା କରିଥିଲେ। ସେ ଆଠ ଏନସିପି ବିଧାୟକଙ୍କ ସହ ରାଜ ଭବନରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗ ଦେଇ ସେ ନିଜେ ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଅନ୍ୟ ଆଠ ଜଣ ଏନସିପି ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଅଜିତ ଦଳ ଦାବି କରିଛନ୍ତି ସେମାନଙ୍କ ପାଖରେ ୪୦ ରୁ ଅଧିକ ଏନସିପି ବିଧାୟକଙ୍କ ସମର୍ଥନ ରହିଛି। ପ୍ରକୃତ ଏନସିପି କେବଳ ଅଜିତ ପାୱାରଙ୍କ ସହିତ ଅଛି ବୋଲି ତାଙ୍କ ସମର୍ଥକ କହିଛନ୍ତି।

Share