ଆଙ୍କାରା/ଡାମାସକସ୍,୧୦।୨:ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଗୁରୁବାର ୧୯,୩୦୦ ଟପିଛି। ଭୂକମ୍ପକୁ ୪ ଦିନ ବିତିଥିଲେ ହେଁ ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଗ୍ନାବଶେଷ ତଳୁ ଜୀବନ ବଞ୍ଚାଇବା ପାଇଁ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ସେହି ସମୟ ଅତିକ୍ରାନ୍ତ ହୋଇଯାଇଛି। ଆନ୍ତାକ୍ୟା ସହରର ହସ୍ପିଟାଲ ପାର୍କିଂ ସ୍ଥାନରେ ମୃତଦେହ ରଖାଯାଇଥିବା ବ୍ୟାଗ୍ରୁ ଲୋକମାନେ ସେମାନଙ୍କ ନିଖୋଜ ସମ୍ପର୍କୀୟଙ୍କୁ ଖୋଜୁଥିବା ଦେଖାଯାଇଛି।
ଭୂକମ୍ପରେ ବାସହରା ଲୋକମାନେ ପ୍ରବଳ ଶୀତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରହିବା ପାଇଁ ଆଶ୍ରୟସ୍ଥଳ ନ ଥିବାବେଳେ ଖାଦ୍ୟ ଓ ପାଣିର ଘୋର ଅଭାବ ଦେଖାଦେଇଛି। ଉଦ୍ଧାର କାର୍ଯ୍ୟରେ ୧,୧୩,୨୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୂକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳରୁ ଗୁରୁବାର ସୁଦ୍ଧା ୨୮,୦୪୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ଦେଶରୁ ଉଦ୍ଧାରକାରୀ ଟିମ୍ ସମେତ କମ୍ବଳ, ତମ୍ବୁ, ଖାଦ୍ୟ ଆଦି ଅତ୍ୟାବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ଏକ୍ସସାଭେଟର, ଟ୍ରାକ୍ଟର, ଡୋଜର ସମେତ ୫,୫୫୭ ଗାଡ଼ି ନିୟୋଜିତ ହୋଇଛି। ଭୂକମ୍ପରୁ ବର୍ତ୍ତିଯାଇଥିବା ହଜାର ହଜାର ଲୋକ ନାହିଁ ନ ଥିବା ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛନ୍ତି। ଆନ୍ତାକ୍ୟା ସହରରେ ପିଲାମାନଙ୍କୁ କୋଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବାକୁ ଆସିଥିବା ଟ୍ରକ୍ ଆଗରେ ବହୁସଂଖ୍ୟାରେ ଲୋକେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଘରଦ୍ୱାର ହରାଇ ଲୋକେ ତମ୍ବୁ ତଳେ ମୁଣ୍ଡ ଗୁଞ୍ଜିଥିବାବେଳେ କେତେକଙ୍କୁ ଷ୍ଟାଡିୟମ କିମ୍ବା ଅନ୍ୟାନ୍ୟ ଅସ୍ଥାୟୀ ଶିବିରରେ ରଖାଯାଇଛି। ଅନ୍ୟମାନେ ସୋମବାରଠାରୁ ଖୋଲା ଆକାଶ ତଳେ ରହିଛନ୍ତି। ସେଠାରେ ଅତ୍ୟଧିକ ଥଣ୍ଡା ପଡ଼ିଥିବାରୁ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳୁଥିବା ଦେଖାଯାଇଛି।