Advertisement

ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଧୌଲାକୁଆଁ ନିକଟସ୍ଥ ଲେକ୍‌ ପାର୍କ ପାଖରେ ହୋଇଥିଲା।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, କୋଠାଗୁଡ଼ିକ ଥରି ଉଠିଲା ଏବଂ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ଗଛ ଉପରେ ବସିଥିବା ପକ୍ଷୀମାନେ ମଧ୍ୟ ଜୋରରେ ଶବ୍ଦ କରି ଏଠାକୁ ସେଠାକୁ ଉଡ଼ିବାକୁ ଲାଗିଲେ। ଏହାର କେନ୍ଦ୍ରସ୍ଥଳ ନୂଆଦିଲ୍ଲୀରେ ଭୂମିଠାରୁ ପାଞ୍ଚ କିଲୋମିଟର ତଳେ ଥିଲା। ଏହା ୨୮.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୭.୧୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା। କମ ଗଭୀରତା ଏବଂ କେନ୍ଦ୍ର ଦିଲ୍ଲୀରେ ଥିବାରୁ, ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ଅଧିକ ଅନୁଭୂତ ହୋଇଥିଲା।

ଦିଲ୍ଲୀ-ଏନସିଆର ସହିତ, ଉତ୍ତରପ୍ରଦେଶର ମୁରାଦାବାଦ, ସହାରନପୁର, ଅଲୱର, ମଥୁରା ଏବଂ ଆଗ୍ରାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ହରିୟାଣାର କୁରୁକ୍ଷେତ୍ର, ହିସାର, କୈଥଲରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ ଏଥିରୁ କୌଣସି ପ୍ରକାରର କ୍ଷତିର ଖବର ଆସିନାହିଁ।

ଅନ୍ୟପକ୍ଷରେ, ପରେ ଦିଲ୍ଲୀ ପୋଲିସ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଦିଲ୍ଲୀ ପୋଲିସ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛି, “ଆଶା କରୁଛି ଆପଣମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।” ଯେକୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ଡାଏଲ୍ କରି ଆମ ସହିତ ଯୋଗାଯୋଗ କରନ୍ତୁ।”

ଭୂକମ୍ପ ସମ୍ପର୍କରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, “ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।” ଆପ ନେତା ଆତିଶୀ ମଧ୍ୟ ପୋଷ୍ଟ କରିଛନ୍ତି, “ଦିଲ୍ଲୀରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମସ୍ତେ ସୁରକ୍ଷିତ ରୁହନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: earthquake