Categories: ଜାତୀୟ

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଉତ୍ତର ଭାରତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରାୟ ୨୦ସେକେଣ୍ଡ ପାଇଁ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି। ଭୂକମ୍ପରେ ପ୍ରବଳ କମ୍ପନ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଘରୁ ବାହାରି ଆସିଥିଲେ। ଲୋକମାନେ କୁହନ୍ତି ଯେ ସେମାନେ ଦୀର୍ଘ ସମୟ ଧରି କମ୍ପନ ଅନୁଭବ କରିଥିଲେ। ରିକ୍ଟ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମପାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ନେପାଳରେ ଆସିଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିରେ ୧୨୮ ଜଣଙ୍କ ମୃତ୍ୟୁ ହେବା ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ଭାରତରେ ବି ଦେଖିବାକୁ ମିଳିଥିଲା। ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share