ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍‌ ସବୁକିଛି ଥରିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଆଉ ଏକ ଖୁସିର କଥା କି ଭୂତତ୍ତ୍ୱ ଅଧିକାରୀମାନେ କହିଛନ୍ତି, ଭୂକମ୍ପ ପରେ ସୁନାମି ହେବାର କୌଣସି ବିପଦ ନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ସକାଳେ ଏହି ଭୂକମ୍ପ ହୋଇଥିଲା। ଫଳରେ ଲୋକମାନେ ଘରୁ ଦୌଡ଼ି ବାହାରକୁ ପଳାଇଥିବାର ଦେଖାଯାଇଥିଲା। କିନ୍ତୁ ପରେ ସେମାନେ ସୂଚନା ପାଇଥିଲେ ଯେ, ସୁନାମିର ଭୟ ନାହିଁ।

ସୂଚନାଯୋଗ୍ୟ, ୨୦୦୪ରେ ଆକେହ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନେକ ଦେଶରେ ସୁନାମି ସୃଷ୍ଟି କରି ପ୍ରାୟ ୨,୩୦,୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସୂତ୍ରରୁ ପ୍ରକାଶ, ଶନିବାରର ଭୂକମ୍ପର ତୀବ୍ରତା ୬.୨। ଭୂକମ୍ପର କେନ୍ଦ୍ର ୪୯ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଇଣ୍ଡୋନେସିଆର ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକାଲ ଏଜେନ୍ସି କହିଛି, ଏହି ଭୂକମ୍ପର ତୀବ୍ରତା ୬.୪।

Share