ଥରିଲା ନେପାଳ: ୧ଘଣ୍ଟାରେ ୪ଥର ଭୂକମ୍ପ ଝଟ୍‌କା, ଭୁଶୁଡି ପଡିଲା ଅନେକ ଘର, ସ୍କୁଲ କୋଠା

କାଠମାଣ୍ଡୁ,୩।୧୦: ନେପାଳରେ ଅପରାହ୍ନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ମଙ୍ଗଳବାର ଗୋଟିଏ ଘଣ୍ଟା ଭିତରେ ୪ଥର ଭୂକମ୍ପ ଝଟ୍‌କା ଲାଗିଛି। ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ ତଥା ଏହାର ଆଖପାଖରେ ଅନେକ ରାସ୍ତା ଅବରୋଧ ହୋଇଯାଇଛି। କେତେକ ସ୍ଥାନରେ ଗାଈଗୋରୁ ମରିବାର ଖବର ମଧ୍ୟ ରହିଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର କମ୍ପନ ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବଜହାଙ୍ଗ ଅଞ୍ଚଳର ଚେନପୁରରେ ଥିଲା।

ପ୍ରଥମ ଭୂକମ୍ପର ତୀବ୍ରତା କମ ଥିଲା, କିନ୍ତୁ ଦ୍ୱିତୀୟ ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ସ୍କୁଲ କୋଠା, ୱାର୍ଡ ଅଫିସ କୋଠା ଏବଂ ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି, କିଛି ଘର ଭୁଶୁଡି ପଡିଛି। ଭୂସ୍ଖଳନରେ ପଥର ଖସିଯିବା କାରଣରୁ କିଛି ଗୋରୁଙ୍କର ମୃତ୍ୟୁ ହୋଇଛି। କେତେକ ଅଞ୍ଚଳରୁ ଘର ଭୁଶୁଡି ପଡିଥିବାର ଖବର ମଧ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୨ଜଣ ଗୁରୁତର ଆହତ ହୋଇଥିବା ଖବର ରହିଛି। କିନ୍ତୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନେପାଳରେ ହୋଇଥିବା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ବୋଲି ବଜହାଙ୍ଗ ମୁଖ୍ୟ ଜିଲା ଅଧିକାରୀ ନାରାୟଣ ପାଣ୍ଡେ କହିଛନ୍ତି। ସେ କହିଛନ୍ତି, ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ାକଣସି ମାନବ କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ, ତଥାପି ତଦନ୍ତ ଜାରି ରହିଛି। ବର୍ତ୍ତମାନ ଭୂମିକମ୍ପରେ ନେପାଳର କେଉଁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ଏବଂ କେତେ ପରିମାଣରେ ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି।

Share