Advertisement
Categories: ଖେଳ

ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ଚାଲିଥିବା ବେଳେ କିଛି ସେକେଣ୍ଡ ପାଇଁ ପଡ଼ିଆ ଥରି ଉଠିଥିଲା। ଭୂମିକମ୍ପ କାରଣରୁ ଖେଳାଳିଙ୍କୁ ପଡ଼ିଆ ଥରିଲା ଭଳି ଅନୁଭୁତ ହୋଇଥିଲା। ଏହାସତ୍ତ୍ୱେ ଜାରି ରହିଥିଲା ମ୍ୟାଚ୍‌।

ପରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଥିଲା। ଏଥିଯୋଗୁ କମେଣ୍ଟ୍ରି ବକ୍ସ ଥରିବାରେ ଲାଗିଥିଲା। କମେଣ୍ଟେଟରମାନେ ତାହା ଅନୁଭବ ମଧ୍ୟ କରିପାରିଥିଲେ। ଭୂମିକମ୍ପ ଅନୁଭୂତ ହେବା ସମୟରେ ଆୟର୍ଲାଣ୍ଡ ସ୍ପିନର ମାଥ୍ୟୁ ହମ୍ଫ୍ରେସ୍‌ ଜିମ୍ବାଓ୍ବେର ବ୍ରାଏନ୍‌ ବେନେଟଙ୍କୁ ବୋଲିଂ କରୁଥିଲେ। ବଲ୍‌ ପକାଇବା ବେଳେ ସେ ସାମାନ୍ୟ ଦୋହଲି ଯାଇଥିବା ଦୃଶ୍ୟ ଫ୍ରଣ୍ଟ-ଅନ୍‌ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଖେଳ କିନ୍ତୁ ସ୍ଥଗିତ ରଖାଯାଇ ନ ଥିଲା। ବେନେଟ୍‌ ବଲ୍‌ଟିରେ ମିଡ୍‌ ଅଫ୍‌ ଅଞ୍ଚଳକୁ ରକ୍ଷଣାତ୍ମକ ଶଟ୍‌ ଖେଳିଥିଲେ। ପରବର୍ତ୍ତୀ ବଲ୍‌କୁ ସେ ଚୌକା ଲଗାଇଥିଲେ। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପ୍ଲେଟ୍‌ ଲିଗ୍‌ରେ ନବମରୁ ଦ୍ୱାଦଶ ସ୍ଥାନ ପାଇଁ ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel