Categories: ଖେଳ

ଫାଇନାଲରେ ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର,୨୫ା୧(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍‌ ଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ ଏଫ୍‌ସି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଦଳ ଜାମସେଦପୁର ଏଫ୍‌ସିକୁ ୨-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ମ୍ୟାଚ୍‌ର କୋଲକାତା ଡର୍ବି ବିଜୟୀ ହୋଇଥିବା ଇଷ୍ଟ ବେଙ୍ଗଲ ଆତ୍ମବିଶ୍ୱାସରେ ନଜର ଆସିଥିଲା। ପ୍ରଥମ ମିନିଟରୁ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ବୁଧବାର ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିବା ବେଳେ ଜାମସେଦପୁର ଖେଳାଳିଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା।
ପ୍ରଥମ ମିନିଟରୁ ଇଷ୍ଟ ବେଙ୍ଗଲ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ତେବେ ୧୯ ତମ ମିନିଟରେ ଇଷ୍ଟ ବେଙ୍ଗଲ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ମାହେର ହିଜାଜି। ଜାଭିଏର ସିଭେରିଓଙ୍କ କଟ୍‌ ବ୍ୟାକ୍‌କୁ ଡିଫ୍ଲେକ୍ଟ କରିବା ସହିତ ଇଷ୍ଟ ବେଙ୍ଗଲକୁ ୧-୦ରେ ଆଗୁଆ କରିଥିଲେ ହିଜାଜି। ୨୬ ତମ ମିନିଟରେ ଜାମସେଦପୁର ଅଧିନାୟକ ମାଞ୍ଜୋରୋ ସ୍କୋର କରିବାକୁ ଉଦ୍ୟମ କରିଥିଲେ ହେଁ ଏହାକୁ ନିଷ୍ଫଳ କରି ଦେଇଥିଲେ ଇଷ୍ଟ ବେଙ୍ଗଲ ଗୋଲକିପର ପ୍ରଭସୁଖରନ୍‌ ଗିଲ୍‌। ଏହାର ୧ ମିନିଟ୍‌ ମଧ୍ୟରେ ମାଞ୍ଜୋରୋ ଓ ହାଓକିପ୍‌ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପ୍ରଥମ ହାଫ୍‌ରେ ୧-୦ରେ ଆଗୁଆ ରହିଥିଲା ଇଷ୍ଟ ବେଙ୍ଗଲ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଷ୍ଟ ବେଙ୍ଗଲ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୪୭ ତମ ମିନିଟରେ ଜାଭିଏର ସିଭେରିଓ ଟୋରୋ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ ଗୋଲ ପରେ ଜାମସେଦପୁର ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍କୋର କରିବାରେ ସମ୍ଭବ ହୋଇ ନ ଥିଲା। ମ୍ୟାଚ୍‌ର ୮୨ ତମ ମିନିଟରେ ଇଷ୍ଟ ବେଙ୍ଗଲକୁ ପେନାଲ୍ଟି କିକ୍‌ ମିଳିଥିଲେ ମଧ୍ୟ ଏହାକୁ ମିସ୍‌ କରିଥିଲେ କ୍ଲେଟନ୍‌ ସିଲ୍‌ଭା। ଶେଷରେ ଫାଇନାଲ ହୁଟର ବାଜିବା ସହ ମ୍ୟାଚ ଜିତି ନେଇଥିଲା ଇଷ୍ଟ ବେଙ୍ଗଲ। ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ପରସ୍ପରକୁ ଭେଟିବେ ଓଡ଼ିଶା ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି। ଏହି ମ୍ୟାଚ୍‌ର ବିଜେତା ୨୮ ତାରିଖରେ ଇଷ୍ଟ ବେଙ୍ଗଲ ସହିତ ଫାଇନାଲ ଖେଳିବ।

Share