Categories: ବାଣିଜ୍ୟ

ପଣ୍ୟ କାରବାରରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୩।୪(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥାତ୍‌ ୧ ଏପ୍ରିଲ ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୨୫୬.୨୨ ନିୟୁତ ଟନ୍‌ ଉତ୍ପାଦିତ ପଣ୍ୟ ବୋଝେଇ ଓ ପରିବହନ କରିଛି। ଏହା ପୂର୍ବ ଆର୍ଥିକ ବର୍ଷଠାରୁ ୧୪.୭୨ ନିୟୁତ ଟନ୍‌ ଅଧିକ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୬.୧% ଅଭିବୃଦ୍ଧି ପଞ୍ଜୀକରଣ କରିଛି। ପୂର୍ବତଟ ରେଳପଥ ଏହି ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଲଓ୍ବେର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ଭାବେ ୫ ଥର ପାଇଁ ୨୦୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିବହନର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପୂର୍ବତଟ ରେଳପଥ ମଧ୍ୟ ପ୍ରଥମ ଜୋନ୍‌ ହୋଇପାରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳପଥ ଅବିଭକ୍ତ ଦକ୍ଷିଣ-ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ ଅଟେ। ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୧୫୨.୯୫ ନିୟୁତ ଟନ୍‌ କୋଇଲା, ୧୩.୨୯ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, ୨୦.୭୭ ନିୟୁତ ଟନ୍‌ ଷ୍ଟିଲ ଆଣ୍ଡ ସ୍ଲାଗ, ୩୧.୨୬ ନିୟୁତ ଟନ୍‌ ଲୁହାପଥର, ୧.୨୪ ନିୟୁତ ଟନ୍‌ ସିମେଣ୍ଟ, ୩.୨୪ ନିୟୁତ ଟନ୍‌ ଖାଦ୍ୟଶସ୍ୟ ବୋଝେଇ କରି ପରିବହନ କରିଥିବାବେଳେ ୬.୪୬ ନିୟୁତ ଟନ୍‌ ସାର, ୩.୧୦ ନିୟୁତ ଟନ୍‌ ମିନେରାଲ ଅଏଲ ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୧୯.୦୬ ନିୟୁତ ଟନ୍‌ ପଣ୍ୟ ବୋଝେଇ ଓ ପରିବହନ କରିପାରିଛି, ଯାହାକି ଗତ ବର୍ଷର ଅନୁରୂପ ଅବଧି ତୁଳନାରେ ଏହା ୬% ଅଧିକ। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ୧୫୯.୯୪ ନିୟୁତ ଟନ୍‌ ପଣ୍ୟ ବୋଝେଇ ଓ ପରିବହନ ହାସଲ କରିଥିବାବେଳେ ୱାଲଟିୟର ରେଳମଣ୍ଡଳ ଦ୍ୱାରା ୭୬.୪୮ ନିୟୁତ ଟନ୍‌ ଏବଂ ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ୧୯.୮୦ ନିୟୁତ ଟନ୍‌ ପଣ୍ୟ ବୋଝେଇ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି।
ତାଳଚେରରେ ଏମ୍‌ସିଏଲ୍‌ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ବନ୍ଦର ଯଥା ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ ଏବଂ ଗୋପାଳପୁର ସହିତ ଛତିଶଗଡ଼ର ବୈଲାଡିଲାରେ ଲୁହାପଥର ଖଣି, ପ୍ରମୁଖ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଅଞ୍ଚଳର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share