Categories: ବାଣିଜ୍ୟ

ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୫ା୧୧: ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଏକ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲା। ସତର୍କତା ସଚେତନତା ସପ୍ତାହ-୨୨ ଉପଲକ୍ଷେ ଅନ୍‌-ଦି-ସ୍ପଟ୍‌ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳପଥ ଚିଫ୍‌ ମେକାନିକାଲ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଆର୍‌. ରାଜା ଗୋପାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସହ ରେଳ କର୍ମଚାରୀଙ୍କ ପିଲାଙ୍କୁ ମିଶାଇ ମୋଟ ୬୦ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀ, ସ୍କୁଲ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନେ ଯୋଗଦେଇଥିଲେ। ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share