Categories: ଖେଳ

ପୂର୍ବତଟ ରେଳପଥ ଚାମ୍ପିୟନ

ବୌଦ୍ଧ, ୧୧।୧୨(ଅଜିତ୍‌ କୁମାର ବାରିକ): ବୌଦ୍ଧ ଜିଲା ଷ୍ଟାଡିୟମରେ ଚାଲିଥିବା ୭୦ତମ ରାଜ୍ୟସ୍ତରୀୟ ସିନିୟର ମହିଳା ଭଲିବଲ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୂର୍ବତଟ ରେଳପଥ ଚାମ୍ପିୟନ ହୋଇଛି। ରାଜ୍ୟ ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ ଓ ଜିଲା କ୍ରୀଡ଼ା ସଂଘ ସହଯୋଗରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ କିଟ୍‌ ଭୁବନେଶ୍ୱର, ପାରାଦୀପ ପୋର୍ଟ ଟ୍ରଷ୍ଟ, କେନ୍ଦ୍ରାପଡ଼ା, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼, ଢେଙ୍କାନାଳ, ଭୁବନେଶ୍ୱର, ପୂର୍ବତଟ ରେଳପଥ ଓ ଜଗତ୍‌ସିଂହପୁର ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍‌ କିଟ୍‌ ଭୁବନେଶ୍ୱର ଓ ପୂର୍ବତଟ ରେଳପଥ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ୨୫-୨୧ ଓ ୨୫-୧୪ରେ କିଟ୍‌ ଭୁବନେଶ୍ୱରକୁ ହରାଇ ପ୍ରତିଯୋଗିତାର ଚାମ୍ପିୟନ ହୋଇଥିଲା। ଉଦ୍‌ଯାପନୀରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ପୂର୍ବତନ ଜିଲାପାଳ ଲଲାଟେନ୍ଦୁ ମିଶ୍ର, କ୍ରୀଡ଼ା ପ୍ରତିଯୋଗିତାର ସଂଯୋଜକ ତଥା ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ରାଜ୍ୟ ଭଲିବଲ ସଂଘର ସାଧାରଣ ସମ୍ପାଦକ ଡ. ଗଗନେନ୍ଦୁ ଦାସ, କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ଜିଲା କ୍ରୀଡ଼ା ସଂଘର ଉପସଭାପତି ଧୂରୀଣ କୁମାର ଦେହୁରୀ, ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ଚାମ୍ପିୟନ ଦଳକୁ ଟ୍ରଫି ସହ ୩୦ ହଜାର ଓ ରନରଅପ୍‌ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଗତ୍‌ସିଂହପୁର ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ସମସ୍ତ ଖେଳକୁ ରେଫରି ଭାବେ ଶୁଭସ୍ମିତା ପରିଡ଼ା, ଭି. ଶ୍ୱାତିଲତା ରେଡ୍ଡୀ, ସୁଜାତା ବିଶ୍ୱାଳ, ସଞ୍ଜୀବ କୁମାର ପଣ୍ଡା, ରଞ୍ଜନ କୁମାର ସାହୁ ଓ ଦିଲୀପ ପଟେଲ ପ୍ରମୁଖ ପରିଚାଳନା କରିଥିଲେ।

Share