Categories: ବାଣିଜ୍ୟ

ପୂର୍ବତଟ ରେଳପଥର ସର୍ବୋଚ୍ଚ ପଣ୍ୟ ପରିବହନ

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ପୂର୍ବ ରେକର୍ଡକୁ ଅତିକ୍ରମକରି ସର୍ବୋଚ୍ଚ ପଣ୍ୟ ପରିବହନ କରିବାରେ ପୂର୍ବତଟ ରେଳପଥ ନୂଆ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ପୂର୍ବତଟ ରେଳପଥ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ଜାନୁୟାରୀ ୨୨ ପର୍ଯ୍ୟନ୍ତ ୨୯୫ ଦିନରେ ଏହି ରେଳପଥ ୨୦୨.୧୧୧ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି। ଏହା ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୨-୨୩ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ୧୯୧.୩୯ ନିୟୁତ ଟନ୍‌ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି। ଫଳରେ ଗତ ଆର୍ଥିକ ବର୍ଷ ତୁଳନାରେ ୫.୬ ପ୍ରତିଶତ ପରିବହନ ବୃଦ୍ଧି ହୋଇଥିବା ରେକର୍ଡଭୁକ୍ତ ହୋଇଛି। ଏହାଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ୍‌ ଭାବେ ଧାରା ବଜାୟ ରଖିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ଏହା ସମ୍ଭବ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୧୨୧.୭୪୭ ନିୟୁତ ଟନ କୋଇଲା, ୧୦.୬୫ନିୟୁତ ଟନର କଞ୍ଚାମାଲ ଇସ୍ପାତ କାରଖାନାକୁ, ୧୬.୩୯୮ ନିୟୁତ ଟନ୍‌ ପିଗ୍‌ ଆଇରନ ଏବଂ ଉତ୍ପାଦ ଇସ୍ପାତ, ୨୪.୦୧୮ ନିୟୁତ ଟନ୍‌ ଲୁହାପଥର, ୧.୧୯୨ ନିୟୁତ ଟନ୍‌ ସିମେଣ୍ଟ, ୨.୪୧୫ ନିୟୁତ ଟନ୍‌ର ଖାଦ୍ୟଶସ୍ୟ, ୫.୨୩୫ ନିୟୁତ ଟନ୍‌ ସାର, ୨.୪୨୫ ନିୟୁତ ଟନ୍‌ ଖଣିଜ ତେଲ, କଣ୍ଟେନରରେ ୩.୭୭୪ ନିୟୁତ ଟନ୍‌ ମାଲ ପରିବହନ ଏବଂ ୧୪.୩୫୮ ନିୟୁତ ଟନ୍‌ର ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିଛି। ଏହି ପଣ୍ୟ ପରିବହନ ବାବଦରେ ପ୍ରାୟ ୨୦୫୫୧.୯ କୋଟି ଟଙ୍କା ଆୟ କରାଯାଇପାରିଛି। ଗତ ବର୍ଷ ତୁଳନାରେ ଏହି ଆୟ ୪.୨୬ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି, ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ପୂର୍ବତଟ ରେଳପଥକୁ କଠିନ ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ସହାୟକ ହୋଇପାରିଛି। ସୂଚନା ଥାଉକି, ୨୦୧୯-୨୦ ଆର୍ଥିକ ବର୍ଷରେ ସମପରିମାଣର ପଣ୍ୟ ପରିବହନ ପାଇଁ ୩୬୬ ଦିନ ଲାଗିଥିବାବେଳେ ୨୦୨୦-୨୧ରେ ୩୬୦ ଦିନ, ୨୦୨୧-୨୨ରେ ୩୨୦ ଦିନ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧୦ ଦିନ ସମୟ ନେଇଥିଲା।

Share