କୋଲକାତା,୧୭।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପୂର୍ବାଞ୍ଚଳ ଜୋନାଲ ପରିଷଦରେ ଆସୁଥିବା ପଶ୍ଚିମବଙ୍ଗ, ବିହାର,ଝାଡଖଣ୍ଡ, ଓଡିଶା ଏବଂ ସିକିମ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ କରିବେ। ବୈଠକଟି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆୟୋଜନ କରାଯାଉଛି। ତେବେ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସେଥିପାଇଁ ଶୁକ୍ରବାର ଗୃହମନ୍ତ୍ରୀ କୋଲକାତାରେ ପହଞ୍ଚିଛନ୍ତି। ବୈଠକରେ ଭାରତ-ବାଂଲାଦେଶ ସୀମା ଏବଂ ରେଳ ସଂଯୋଗ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି।
ଏହି ସଭାରେ ଯୋଗଦେବା ପାଇଁ ଅମିତ ଶାହା ଶୁକ୍ରବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଧୁ ଅଧିକାରୀ ଏବଂ ରାଜ୍ୟମନ୍ତ୍ରୀ ସୁଜିତ ବୋଷ ତାଙ୍କୁ ସ୍ବାଗତ କରିଥିଲେ। ସୂଚନା ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକରେ ଯୋଗଦେବେ ନାହିଁ। ତେବେ ନୀତୀଶ କୁମାରଙ୍କ ବଦଳରେ ଡେପୁଟି ସିଏମ ତେଜସ୍ବୀ ଯାଦବ ଏବଂ ଅର୍ଥମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଯୋଗଦେବେ। ଏହାପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଅମିତ ଶାହା ଭାରତୀୟ ଜନତା ଦଳର ନେତାଙ୍କ ସହ ଏକ ବୈଠକ କରି ପଞ୍ଚାୟତ ନିର୍ବାଚନ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।