ସହଜରେ ମନେରହିବ

ପାଠ ମନେରହୁନି ବୋଲି ପିଲାଙ୍କ ଉପରେ ରାଗନ୍ତୁ ନାହିଁ। ବରଂ ପିଲାଙ୍କ ଏଭଳି ସ୍ଥିତିରେ କିପରି ସାହାଯ୍ୟ କରିହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
-ପ୍ରଥମେ ପିଲାଙ୍କୁ କୌଣସି ଏକ ବିଷୟରେ ପାଠ ପଢ଼ାଉଥିଲେ ଭଲଭାବେ ବୁଝାନ୍ତୁ। ସଙ୍ଗେ ସଙ୍ଗେ ମନେରଖିବା ପାଇଁ ଚାପ ପକାନ୍ତୁ ନାହିଁ। ଯେକୌଣସି ବିଷୟକୁ ବୁଝାଇଥିଲେ ପିଲାର ହୁଏତ କିଛିଟା ଧାରଣା ରହିବ। ଏମିତି ବି ହୋଇପାରେ ଯଦି ସେ ସେହି ବିଷୟ ସମ୍ପର୍କିତ ଉତ୍ତର ଭୁଲିଯାଇଥିବ ତେବେ ନିଜେ ବୁଝିଥିବା ଭାଷାରେ କିଛିଟା ଲେଖିପାରିବ।
-ପିଲାଙ୍କୁ ସବୁବେଳେ ଜୀବନୀ ସହ ଉଦାହରଣ ଦେଇ ପାଠ ପଢ଼ାନ୍ତୁ। ପାଠ ମନେ ରଖିବା ପାଇଁ ଏହା ସବୁଠାରୁ ସହଜ ଉପାୟ। କାରଣ ଉଦାହରଣକୁ ପିଲାମାନେ ମନେରଖି ପାଠକୁ ମନେପକାଇ ପାରିବେ।
-ପିଲାଙ୍କୁ ବୋରିଂ ଲାଗୁଥିବା ବିଷୟକୁ ଗୀତ ମାଧ୍ୟମରେ ପଢ଼ାନ୍ତୁ। ସେମାନଙ୍କୁ କଷ୍ଟକର ମନେ ହେଉଥିବା ବିଷୟକୁ କବିତା ଭଳି ପଢ଼ାଇଲେ ତାଙ୍କୁ ଭିନ୍ନ ମନେହେବ ଏବଂ ସେମାନେ ସେଥିପ୍ରତି ଆକୃଷ୍ଟ ହୋଇ ଶୀଘ୍ର ମନେରଖିପାରିବେ। ଏମିତିକି କିଛି ବିଷୟରେ ବିଭିନ୍ନ ଫର୍ମୁଲା ମନେରଖିବା ପାଇଁ ସୁନ୍ଦର ଛୋଟ ଛୋଟ କବିତା ମଧ୍ୟ କରିପାରିବେ। ଏହି ମାଧ୍ୟମରେ ପିଲାମାନେ ନିଜେ ଗୁଣୁଗୁଣୁ ହୋଇ ସହଜରେ ପାଠ ମନେ ରଖିପାରିବେ।
-ପିଲାଙ୍କୁ ଯାହା ବି ପଢ଼ାଇବେ ସେସବୁକୁ ରିଭିଜନ ନିଶ୍ଚୟ କରାନ୍ତୁ। ଅର୍ଥାତ୍‌ ପୂର୍ବଦିନ ଯାହା ପଢ଼ିଥିବେ ସେସବୁକୁ ତା’ ପରଦିନ ପ୍ରଶ୍ନ କରି ପୁଣି ଥରେ ମନେ ପକାଇଦେବେ।