Categories: ଫୁରସତ

୨୭ ମିନିଟ୍‌ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ

ଲଣ୍ଡନ: ବିଶ୍ୱରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। କିଛି ଲୋକ ତାଙ୍କ ପସନ୍ଦର ଖାଦ୍ୟ ଖାଇବାକୁ ଅନେକ ଦୂରରେ ପହଞ୍ଚିଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଫୁଡ୍‌ ବ୍ଲଗିଂର ଭିଡିଓ ଭାଇରାଲ ହେବାରେ ଲାଗିଛି। ତା’ ମଧ୍ୟରେ ବହୁତ ଲୋକ ଫୁଡ୍‌ ଚ୍ୟାଲେଞ୍ଜରେ ମଧ୍ୟ ଭାଗ ନେଉଥିବା ଦେଖିବାକୁ ମିଳୁଛି। ଲଣ୍ଡନର ବାସିନ୍ଦା ମାକ୍ସ ଷ୍ଟାନଫୋର୍ଡ ଏପରି ଏକ ଫୁଡ୍‌ ଚ୍ୟାଲେଞ୍ଜ ନେଇଛନ୍ତି। ସେ ଏକ ଥାଳିରେ ଥିବା ୪୫୦୦ କ୍ୟାଲୋରିର ଖାଦ୍ୟକୁ ୨୭ ମିନିଟ୍‌ ୨୫ ସେକେଣ୍ଡରେ ଖାଇ ରେକର୍ଡ କରିଛନ୍ତି। ୩୫ ବର୍ଷୀୟ ମାକ୍ସ ଚ୍ୟାଲେଞ୍ଜ ପୂରା କରିବା ପରର ଅବସ୍ଥା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି। ମାକ୍ସ କହିଛନ୍ତି, ସେ ଏତେ ସାରା ଖାଦ୍ୟ ଖାଇ ରେକର୍ଡ ତ କରିଦେଲେ। ହେଲେ ତା’ ପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା। ସେ ଚ୍ୟାଲେଞ୍ଜ ପୂରା କରିବା ପରେ ଶୋଇବାକୁ ଚେଷ୍ଟା କଲେ। ହେଲେ ତାଙ୍କ ପେଟ ଏତେ ଜୋରରେ କାଟୁଥିଲା ଯେ ସେ ଶୋଇପାରି ନ ଥିଲେ। ଏହା ପୂର୍ବରୁ ସେ ଅନେକ ଫୁଡ୍‌ ଚ୍ୟାଲେଞ୍ଜ ପୂରା କରିଛନ୍ତି। ମଣିଷ ଦିନକୁ ୨ ହଜାରରୁ ୨୫୦୦ କ୍ୟାଲୋରି ଖାଦ୍ୟ ଖାଇବା ଉଚିତ, ହେଲେ ସେ ଏଥର ତା’ର ୨ ଗୁଣା କ୍ୟାଲୋରି ଖାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଏପରି ଅବସ୍ଥା ହୋଇଥିଲା।

Share