ଛତୁ ଖାଇ ଦୁଇ ଯୁବତୀ ଗୁରୁତର

ବଡ଼ବିଲ,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଛତୁ ଖାଇ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀ ଦ୍ବୟ ହେଲେ ବଡ଼ବିଲ ସାଧୁସିଂ ହଟିଂ ଅଞ୍ଚଳର ପ୍ରିୟା ମହାନ୍ତ ଓ ତାଙ୍କ ସାଙ୍ଗ ରାନୀ ଚାଟାର୍ଜୀ। ସୂଚନା ଅନୁଯାୟୀ, ପ୍ରିୟାଙ୍କ ବାପା ଶ୍ୟାମଲାଲ ରବିବାର ଦିନ ଘରକୁ ଛତୁ ଆଣି ରୋଷେଇ କରିଥିଲେ। ପ୍ରିୟାଙ୍କ ସହିତ ତାଙ୍କ ବାପା ଓ ବାନ୍ଧବୀ ରାନୀ ମିଶି ଛତୁ ଖାଇଥିଲେ। ଖାଇବାର କିଛି ଘଣ୍ଟା ପରେ ୩ ଜଣ ଯାକ ଅସୁସ୍ଥ ଅନୁଭବ କରିଥିଲେ। ଶ୍ୟାମଲାଲ ସାମାନ୍ୟ ଅସୁସ୍ଥ ହୋଇଥିଲା ବେଳେ ସୋମବାର ଦିନ ପ୍ରିୟା ଓ ରାନୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Share