ନମସ୍ୟା ସେଇ ନାରୀ ଶ୍ରମିକମାନେ। ପିଲା ପରିବାରଙ୍କୁ ଛାଡ଼ି ଯେମିତି ସମୟକୁ ଖାତିର ନ କରି ଶ୍ରମଦାନ କରିଥିଲେ ତାହା ଜାଣିବା ପରେ ମନରେ ବିସ୍ମୟ ସୃଷ୍ଟି ହୁଏ। ଆମେ ‘ଦାନ’ ଶବ୍ଦ ଲେଖିଲୁ ସେଥିପାଇଁ ମନକୁ ପ୍ରଶ୍ନ ଆସିବ ବର୍ତ୍ତନ ତ ନେଉଥିଲେ, ଶ୍ରମର ପାଉଣା ତ ନେଉଥିଲେ, ପୁଣି ଶ୍ରମଦାନ କ’ଣ କଲେ! ଆମେ ତନ୍ନ ତନ୍ନ କରି ଅନୁସନ୍ଧାନ କରିଛୁ ଏହା ଉପରେ। କାରଣ ପାଉଣା ତ ନେଉଥିଲେ! ମନ୍ଦିର ନିର୍ମାଣ ଏପରି କାମ, ନିର୍ଦ୍ଦିଷ୍ଟ କାମକୁ ସାରିବାକୁ ହେବ। ଚୂନପଥର ଅଧା ପକାଇ ଯାଇ ହେବ ନାହିଁ, ଭାଟିରେ ଲୁହା ତରଳିବାର ସମୟ ଅଛି। ତରଳିବା ପର୍ଯ୍ୟନ୍ତ ତେଲ ଢାଳିବାକୁ ହେବ। ଗାଈଦୁହଁା ସରିବା ପରେ ଜଣେ ଯିବ। ଅଧା ଦୁହଁା ହେଇଥିବ, ସୂର୍ଯ୍ୟ ନଇଁଲେଣି କହି କାମ ଛାଡ଼ି ଯାଇ ହେବନି। କାମ ସାରିବାକୁ ହେବ। ଏଇ ଯେଉଁ ମାନସିକତା, ତ୍ୟାଗ, ନିଷ୍ଠା, ତା’ର ପାଉଣା ଅଛି କି !
ଠିକା ଛିଡ଼ିଲା ଛ’ ମାସରେ ଦ୍ୱାରବନ୍ଧ କାମ ସରିବ। ଚାରିଜଣ ଶିଳ୍ପୀ ଓ ୩ଜଣ ସୁଆଁସିଆ ଏହି ଦଳରେ ଥିଲେ। ନା ଶିଳ୍ପୀ ନା ଶ୍ରମିକ, ଛ’ ମାସ ଧରି ଗଁାକୁ ଯାଇ ହେନଟେନ କରିପାରିବେ କି? ହିଙ୍ଗିଲିମିଠେଇ ଖାଇ ହେକୁଟି ମାରି ପଶାପାଲି ଖେଳିପାରିବେ କି? ସେମାନେ ନିଜ ତରଫରୁ ଛ’ ମାସ ସମୟ ଧାର୍ଯ୍ୟ କରିଛନ୍ତି। କାମ ସାରିବାକୁ ହେବ। ଦାୟିତ୍ୱ ତୁଲାଇବାକୁ ହେବ।
ସେହିପରି ପଥରରେ ଶତାଧିକ ଶିଳ୍ପୀ ସୂଚୀକାମ କରୁଥିଲେ। ଏକାଗ୍ରତା ଜରୁରୀ। ମନ-ମଉଜ ବି ଜରୁରୀ। ଶିବିରରୁ ଖାଦ୍ୟ ଖାଇ କାମକୁ ଆସିଲେ, ମଝିରେ ପାଣି, ପାନ ବି ଦରକାର। ସେତେବେଳେ ପାଣି ବୋତଲ ମିଳୁ ନ ଥିଲା କି ପାନଦୋକାନ କୋଣାର୍କ ବାଲିପନ୍ତରା ଝାଉଁ ଜଙ୍ଗଲରେ ନ ଥିଲା। ଗଜପତି ଏ କଥା ବୁଝିଥିଲେ। କାମ ଆରମ୍ଭ ଦିନରୁ ବିଶେଷ ଯାନିଯାତ୍ରାରେ ଆଉରି କେତେଖଣ୍ଡ ଅଧିକ ପାନ ମହାପ୍ରଭୁଙ୍କୁ ସମର୍ପଣ ହୁଏ। ମହାପ୍ରଭୁଙ୍କୁ ସମର୍ପଣ କରାଯାଉଥିବା ପାନରେ ଚୂନ ଲଗାଯାଏ ନାହିଁ। ତେଣୁ ଆମେ ବିଚାର କରିବା କଥା ଗଜପତିଙ୍କ ଗୋଚରରେ ପାଣି ଓ ପାନ ଯୋଗାଇବା ବ୍ୟବସ୍ଥା ହୋଇଥିଲା।
କେତୋଟି ନାଟକ କୋଣାର୍କକୁ ନେଇ ଲେଖାଯାଇଛି। ନାଟ୍ୟକାରମାନେ ଶିଳ୍ପୀଙ୍କ ଉପରେ ଅକଥନୀୟ ଅତ୍ୟାଚାରର ଦୃଶ୍ୟ ଦର୍ଶକଙ୍କ ଭାବାବେଗ ଜିତିବାକୁ ରୂପ ଦେଇଛନ୍ତି। ଆମେ ତ ପୋଥି ବର୍ଣ୍ଣନା ଦେଖୁଛେ। ଏହା ଅକଥନୀୟ ଅତ୍ୟାଚାରର ନମୁନା ନା ଗେଲବସରର ନମୁନା! ପାଉଣା ନେବେ, ଜଳଖିଆ ସହିତ ଦୁଇ ବେଳା ଖାଇବେ, ଦୁଧ, ଦହି, ଛେନା ଓ ଘିଅର ବ୍ୟବସ୍ଥା ହୋଇଛି, କାମ ଉପରେ ପାଣି ଓ ପାନ ଯୋଗାଇ ଦିଆଯିବ, ଇୟେ କ’ଣ ଅତ୍ୟାଚାର!
ଆମେ ଆଗକୁ ଆହୁରି ଦେଖିବା ପୂନିଅଁ ପର୍ବରେ ଭୋଜିଭାତ ଓ ଜନ୍ତାଳର ବ୍ୟବସ୍ଥା କିପରି ଗଜପତି ନିଜେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଜାତି ମଉଜିଆ ଜାତି। ଭୋଜି ଭାତ ମଉଜର ତାଳେ ତାଳେ ବିଶ୍ୱର ବିସ୍ମୟପୂର୍ଣ୍ଣ କଳାକୃତି ଗଢ଼ିଦେଇଥିଲେ। ଅତ୍ୟାଚାରରେ ନୁହେଁ।
କାମ ସମୟରେ ଅଘଟଣ ବି ଘଟିଛି। ମୁଖ୍ୟ ମନ୍ଦିରର ପଶ୍ଚିମପଟେ ସୂର୍ଯ୍ୟଙ୍କର ଏକ ପ୍ରତିମା ସ୍ଥାପନ ହେବାର ସ୍ଥିର ହୋଇଥିଲା। ପ୍ରତିମାଙ୍କୁ ଫାଶିକାଠର ମଞ୍ଚା ଉପରକୁ ୧୭ଜଣ ଶ୍ରମିକ ଉଠାଇଲାବେଳେ ଦାମ ଜେନା ମଞ୍ଚାରୁ ଖସିପଡ଼ିଥିଲେ। ମୁଣ୍ଡ ମାଡ଼ ହୋଇଗଲା। ସେ ଚାଲିଗଲେ। ଡକାହେଲା ତାଙ୍କ ପୁଅ ରଘୁଆ ଜେନାଙ୍କୁ। ଜୀବନସାରା ଚଳିବା ପାଇଁ ‘ଘଟ-ପୋଷାକ’ ଦିଆଗଲା। ଆଦେଶ ହେଲା ବାଲି ନୂଆଗଁାରେ ଦଶଗୁଣ୍ଠ ଜମି ଦିଅ ରଘୁଆକୁ। ଅଘଟଣକୁ ଅବହେଳା କରାଯାଇ ନାହିଁ। ଦାୟିତ୍ୱର ସହ ନିର୍ବାହ କରାଯାଇଛି। ପିଇବା ପାଣି ଯୋଗାଇବା ପାଇଁ ଶ୍ରମିକ ନିଯୁକ୍ତ କରିଥିଲେ। କାମ ସୁରୁଖୁରୁରେ ସମ୍ପନ୍ନ ହେଉ, ପାଣି ପିଇବା ପାଇଁ ଥରକୁ ଥର କାମରୁ ଶିଳ୍ପୀ ନ ଉଠନ୍ତୁ, ତାଙ୍କର ଏକାଗ୍ରତା ନଷ୍ଟ ନ ହେଉ, ଏୟା ହିଁ ଚିନ୍ତାଧାରା। କାମ ବିକ୍ଷିପ୍ତ ଭାବରେ ବ୍ୟାପକ ଅଞ୍ଚଳରେ ହେଉଥିଲା। ତେଣୁ ପାଣି ସହିତ ପାନ ଯୋଗାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ସୁଆଁସିଆଙ୍କୁ ନିଯୁକ୍ତ କରାଯାଇଥିଲା।
କେବଳ ରୂପାସ-ଗଡ଼ ଶିବିରରେ ୩୧୨ଜଣ ସୁଆଁସିଆ ରହୁଥିଲେ, ଦୁଆଇ ଶିବିରରେ ୧୦୮ ଜଣ ରହୁଥିଲେ। ହଜାର ହଜାର ଲୋକ କାମରେ ଲାଗିଥିଲେ। ପାଣି ଯୋଗାଇବା ଓ ପାନ ଭାଙ୍ଗି ଯୋଗାଇବା ସହଜ କଥା ନୁହେଁ। ଆମେ ଏଥିରୁ ବୁଝୁଛେ ଶିଳ୍ପୀ ନିଶ୍ଚୟ ଓଡ଼ିଆ ଥିଲେ। ଓଡ଼ିଆ ଯେପରି ପାନ ଖାଆନ୍ତି ଏବଂ ଆପଣାର ମହାପ୍ରଭୁଙ୍କୁ ପାନ ଖୁଆନ୍ତି ତାହା ଭାରତରେ ବିରଳ।
ପ୍ରତିଦିନ ବଲ୍ଲଭ ପୂଜାପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ୨ଟି ଲେଖାଏଁ ୬ଟି ପାନ, ସକାଳ ଧୂପ ପରେ ୬ଟି ପାନ, ଦ୍ୱିପ୍ରହର ଧୂପ ପରେ ୬ଟି ପାନ, ସନ୍ଧ୍ୟା ଧୂପ ପରେ ୬ଟିପାନ, ବଡ଼ସିଂହାର ବେଶ ପରେ ୬ଟି ପାନ, ପହୁଡ଼ ପରେ ପଲଙ୍କ ତଳେ ରଖାଯାଏ ୬ଟି ପାନ, ଚନ୍ଦନଯାତ୍ରା ସମୟରେ ଚନ୍ଦନ ମଣ୍ଡପରେ ୫୦ ଖଣ୍ଡ ପାନ ଏପରି ମୋଟ ୮୬ ଖଣ୍ଡ ଠାକୁରଙ୍କୁ ଲାଗି କରାଯାଏ।