ପୋଡ଼ା ହେଉଥିବା ମୃତଦେହର ମାଂସ  ଖାଇଗଲେ ୨ ଜଣ: ଗ୍ରାମରେ ଉତ୍ତେଜନା

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମଦ ନିଶାରେ ନିଜ ହିତାହିତ ଜ୍ଞାନ ହରାଇ ରାକ୍ଷସ ପାଲଟି ଯାଇଛି । ପୋଡା ହେଉଥିବା ମୃତଦେହ ମାଂସ ଖାଇ ୨ ଜଣଈ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏହାକୁ ନେଇ ଗ୍ରାମରେ ଉତେଜନା  ଦେଖାଦେଇଛି। ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି । ଅଟକ ଦୁଇ ଅଭିଯୁକ୍ତ ହେଲେ ବଡସାହି ଥାନା ଅଧୀନ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂ(୫୮) ଓ ନରେନ୍ଦ୍ର ସିଂ(୨୫) ।
ସୂଚନାଯୋଗ୍ୟ, ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବଡସାହି ଡାକ୍ତରଖାନାକୁ ନେଇଲେ । ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତତ୍ୟୁ ମାମଲା କେସ ନଂ ୪୦/୨୩ରେ ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରୁ ମୃତଦେହ  ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ମୃତଦେହ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ । ପୋଡା ଚାଲିଥିବା ସମୟରେ ଦୁଇ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ରହି ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖି ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଜବତ କରିଥିଲେ । ଫଳରେ ଗ୍ରାମରେ ଉତେଜନା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଏ ସଂକ୍ରାନ୍ତରେ ଆଇଆଇସି ସଞ୍ଜୟ କୁମାର ପରିଡା କହନ୍ତି, ଲୋକଙ୍କ ଅଭିଯୋଗକୁ ନେଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି । ତେବେ ଗୁଣ ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ଅଭିଯୁକ୍ତ ଦ୍ବୟ ସ୍ବୀକାର କରିଛନ୍ତି ।