ପାତରଅନ୍ତର କରୁଛନ୍ତି ନିର୍ବାଚନ କମିଶନ

କୋଲକାତା, ୧୪।୪: ନିର୍ବାଚନ କମିଶନ (ଇସି) ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍‌ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଏହା ଜଣାଇଛି। ଟିଏମ୍‌ସି ଏବଂ ଭାଜପାର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଦୁଇ ପୃଷ୍ଠାର ପତ୍ରରେ ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି। ସମ୍ବିଧାନ ଅନୁଯାୟୀ ନିର୍ବାଚନ କମିଶନ ଏକ ସ୍ବାଧୀନ ତଥା ନିରପେକ୍ଷ ଅନୁଷ୍ଠାନ। ତେବେ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟ କରିବାର ଢଙ୍ଗ ନିନ୍ଦନୀୟ ବୋଲି ଟିଏମ୍‌ସି କହିଛି। ଚଳିତ ନିର୍ବାଚନରେ ଏହା ପକ୍ଷପାତ ମନୋବୃତ୍ତି ପୋଷଣ କରିବା ସହ ଭାଜପା ସପକ୍ଷରେ ନିଷ୍ପତ୍ତି ନେଉଛି। ଇସିଙ୍କ ଏଭଳି ବେଆଇନ କାର୍ଯ୍ୟର ଉପଯୁକ୍ତ ଜବାବ ପଶ୍ଚିମବଙ୍ଗର ଜନସାଧାରଣ ଦେବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

Share