Categories: ଜାତୀୟ

ଉତ୍ତର ଦେଉନାହାନ୍ତି ଇସି

ନୂଆଦିଲ୍ଲୀ,୧୩ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଏବଂ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ମେଶିନର କାର୍ଯ୍ୟରେ ନିରପେକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ବହୁ ବିଶିଷ୍ଟ ନାଗରିକ ନିର୍ବାଚନ କମିଶନ(ଇସି)ଙ୍କୁ ଉତ୍ତର ମାଗୁଛନ୍ତି। ତେବେ ଇସି ଉତ୍ତର ନ ଦେବାକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଆଇନର ବ୍ୟାପକ ଉଲ୍ଲଂଘନ ବୋଲି ସିଆଇସି କହିବା ସହ ଏଥିପାଇଁ ଲିଖିତ ସ୍ପଷ୍ଟୀକରଣ ଦେବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଭିଏମ୍‌, ଭିଭିପିଏଟି ଏବଂ ଭୋଟ ଗଣନା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ପୂର୍ବତନ ଆଇଏଏସ୍‌ ଅଫିସର ଏମ୍‌.ଜି. ଦେବସହାୟମ୍‌ ଓ ଅନ୍ୟମାନେ ପ୍ରଶ୍ନ କରିଥିଲେ। ଏନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜଣାଇବା ପାଇଁ ସେମାନେ ୨୦୨୨ ନଭେମ୍ବର ୨୨ରେ ସୂଚନା ଅଧିକାର ଆଇନ ବଳରେ ନିର୍ବାଚନ କମିଶନଙ୍କୁ ଆବେଦନ କରିଥିଲେ। ଉକ୍ତ ଆବେଦନ ପତ୍ରକୁ କାହା ପାଖକୁ ଏବଂ କେଉଁ ସରକାରୀ ଅଧିକାରୀଙ୍କ ପାଖକୁ ପଠାଯାଇଛି, ଉକ୍ତ ପ୍ରସଙ୍ଗରେ କୌଣସି ବୈଠକ ହୋଇଛି କି ନାହିଁ ଏବଂ ସମସ୍ତ ଆନୁଷଙ୍ଗିକ ଫାଇଲ ସମ୍ପର୍କରେ ଜାଣିବା ପାଇଁ ଦେବସହାୟମ ଚାହିଁଥିଲେ। ତେବେ ୩୦ ଦିନର ବାଧ୍ୟତାମୂଳକ ସମୟସୀମା ମଧ୍ୟରେ ଇସି କୌଣସି ଉତ୍ତର ଦେଲେ ନାହିଁ। ଦେବସହାୟମ୍‌ଙ୍କ ପ୍ରଥମ ଆବେଦନର ଶୁଣାଣି କରାଗଲା ନାହିଁ। ଫଳରେ ସେ ସିଆଇସିଙ୍କ ଦ୍ୱାରସ୍ଥ ହୋଇ ଇସି ଉତ୍ତର
ଉତ୍ତର ଦେଉନାହାନ୍ତି …
ଦେଉ ନ ଥିବା ଜଣାଇଥିଲେ। ଦେବସହାୟମ୍‌ଙ୍କୁ କ’ଣ ପାଇଁ ଉତ୍ତର ଦିଆଯାଇ ନାହିଁ ବୋଲି ମୁଖ୍ୟ ସୂଚନା ଆୟୁକ୍ତ ହୀରାଲାଲ୍‌ ସମରିୟା ପଚାରିବାରୁ ଇସିଙ୍କ କେନ୍ଦ୍ରୀୟ ଜନସୂଚନା ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ସିଆଇସି ନିର୍ବାଚନ କମିଶନଙ୍କ ତତ୍କାଳୀନ ପିଆଇଓଙ୍କ ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆର୍‌ଟିଆଇ ଆଇନର ଉଲ୍ଲଂଘନ ନେଇ ଲିଖିତ ସ୍ପଷ୍ଟୀକରଣ ମାଗିଥିଲେ। ଆର୍‌ଟିଆଇ ଆବେଦନ ଉପରେ ୩୦ ଦିନ ମଧ୍ୟରେ ଉତ୍ତର ପ୍ରଦାନ କରିବା ନିମନ୍ତେ ସମରିୟା ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବଳ ଦେବସହାୟମ ନୁହନ୍ତି,ବିଶିଷ୍ଟ ପ୍ରଯୁକ୍ତି ପେସାଦାର, ଶିକ୍ଷାବିତ୍‌, ଆଇଆଇଟି ଏବଂ ଆଇଆଇଏମ୍‌ଗୁଡ଼ିକର ପ୍ରଫେସର, ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଫିସରମାନେ ଇଭିଏମ୍‌ ଏବଂ ଭିଭିପିଏଟିର ବିଶ୍ୱସନୀୟତାକୁ ନେଇ ନିର୍ବାଚନ କମିଶନଙ୍କୁ ଅନେକ ପ୍ରଶ୍ନର ଜବାବ ମାଗିଥିଲେ ମଧ୍ୟ ଉତ୍ତର ଦିଆ ନଯିବାକୁ ନେଇ ସିଆଇସି ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share