Categories: ଜାତୀୟ

ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକ ନିଲମ୍ବିତ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ସହ ହୋଇଥିବା ଦୁର୍ଘଟଣା ଘଟଣାରେ ନୂଆ ମୋଡ ଆସିଛି। ଏହି ମାମଲାରେ ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ନିଲମ୍ବିତ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ମମତାଙ୍କ ଜେଡ୍‌+ ସୁରକ୍ଷା ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରାଥମିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହେବାରୁ ଏକ ସପ୍ତାହ ମଧ୍ୟରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ। ସୂଚନାଯୋଗ୍ୟ, ମମତା ବାନାର୍ଜୀ ଗତ ମାର୍ଚ୍ଚ ୧୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆହତ ହୋଇଥିଲେ। ଏହାପରେ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ୪-୫ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି କହିଥିଲେ। ହେଲେ ବିରୋଧୀ ଏଭାକୁ ନାଟକବାଜି କହି ଅନୁକମ୍ପା ଭୋଟ ହାତେଇବାକୁ ଦିଦିଙ୍କର ଏହା ପ୍ଲାନ ବୋଲି କହିଥିଲେ। ଯଦିଓ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା। ହେଲେ ୪-୫ ଆକ୍ରମଣ କରିଥିବାର କୌଣସି ପ୍ରମାଣ ମିଳି ନ ଥିଲା। ମମତା ୧୧ ତାରିଖ ଦିନ ହସ୍ପିଟାଲ ବେଡରେ ରହି ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଯେଉଁଥିରେ ସେ ଟିଏମସି କର୍ମୀଙ୍କୁ ଶାନ୍ତ ରହିବାକୁ କହିଥିଲେ। ନିର୍ବାଚନ କମିଶନର ଏହି ଘଟଣାର ରିପୋର୍ଟ ମାଗିଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନର କହିଛନ୍ତି, ମମତାଙ୍କ ସହ ଯାହା ହୋଇଛି ତାହା ଦୁର୍ଘଟଣା, ଷଡ଼ଯନ୍ତ୍ର କିମ୍ବା ଆକ୍ରମଣର କୌଣସି ପ୍ରମାଣ ନାହିଁ।

Share