Categories: ଜାତୀୟ

ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ ଲାଗି କ୍ଷମତା ଚାହୁଁଛି ଇସି

ନୂଆଦିଲ୍ଲୀ,୨୭।୬(ପି.ଟି.): ଦୁର୍ନୀତିରେ ଲିପ୍ତ ଥିବା ଅଣସ୍ବୀକୃତିପ୍ରାପ୍ତ ଦଳଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ହଟାଇବା ପ୍ରକ୍ରିୟା ଚାଲିଥିବାବେଳେ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବା ଲାଗି ନିର୍ବାଚନ କମିଶନ (ଇସି) କ୍ଷମତା ଚାହୁଁଛନ୍ତି। କୌଣସି ଜନ ସଂଗଠନକୁ ରାଜନୈତିକ ଦଳ ଭାବେ ପଞ୍ଜୀକରଣ କରିବା କ୍ଷମତା ଇସିଙ୍କର ରହିଛି। ତେବେ ପଞ୍ଜୀକରଣ ରଦ୍ଦ କରିବା କ୍ଷମତା ଏହାକୁ ମିଳିନାହିଁ। ନିକଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କେନ୍ଦ୍ର ବ୍ୟବସ୍ଥାପିକା ସଚିବଙ୍କ ସହ ଆଲୋଚନା କଲାବେଳେ ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ କ୍ଷମତା କମିଶନଙ୍କୁ ମିଳିବା ଲାଗି ଚାପ ପକାଇଥିବା ଜଣାପଡ଼ିଛି।

ଅନେକ ପଞ୍ଜୀକୃତ ଦଳ କଦାପି ନିବାଚନ ଲଢ଼ୁ ନ ଥିବା ଜଣାପଡ଼ିଛି। ଏହି ଦଳଗୁଡ଼ିକ କେବଳ କାଗଜ କଲମରେ ରହିଛନ୍ତି। ଆୟକର ଛାଡ଼ ସୁବିଧା ହାସଲ ଲକ୍ଷ୍ୟରେ ଏଭଳି ରାଜନୈତିକ ଦଳ ଗଠନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଇସି ଅନୁଭବ କରିଛନ୍ତି। କମିଶନଙ୍କୁ ପଞ୍ଜୀକରଣ କ୍ଷମତା ମିଳିଥିବାବେଳେ ଉପଯୁକ୍ତ କାରଣ ଆଧାରରେ ପଞ୍ଜୀକରଣ ରଦ୍ଦ କ୍ଷମତା ମଧ୍ୟ ମିଳିବା ଉଚିତ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଇସିଙ୍କୁ ଏହି କ୍ଷମତା ଦେଲାବେଳେ ତାହାର ଯେପରି ଦୁରୁପଯୋଗ ନ ହୁଏ, ସେଥିପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରଖାଯାଇ ପାରିବ। ସମ୍ବିଧାନ ଅନୁଯାୟୀ ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ ସ୍ବାଧୀନ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।

Share