Categories: ଜାତୀୟ

ଦିଲୀପ ଘୋଷ ଓ ସୁପ୍ରିୟା ଶ୍ରୀନେତଙ୍କୁ ଇସିଙ୍କ ଚେତାବନୀ

ନୂଆଦିଲ୍ଲୀ, ୨।୪: ମହିଳାଙ୍କ ପ୍ରତି ଆପତ୍ତିଜନକ ବୟାନ ପାଇଁ ଭାଜପା ଏମ୍‌ପି ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌ଙ୍କୁ ସୋମବାର ନିର୍ବାଚନ ଆୟୋଗ(ଇସି) ଚେତାବନୀ ଜାରି କରିଛନ୍ତି। ବୟାନ ଦେଉଥିବା ସମୟରେ ସତର୍କ ରହିବାକୁ ଉଭୟଙ୍କୁ ତାଗିଦ କରାଯାଇଛି। ଲୋକ ସଭା ନିର୍ବାଚନ ସମୟରେ ନେତାଙ୍କ ବୟାନ ଉପରେ ଇସିଙ୍କ ବିଶେଷ ନଜର ରହିବ। ୨ ନେତା ଅତି ନିମ୍ନ ସ୍ତରକୁ ଯାଇ ବ୍ୟକ୍ତିଗତ ଆକ୍ରମଣ କରିଥିବାରୁ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଭବିଷ୍ୟତରେ ସାର୍ବଜନିକ ଭାବେ ବୟାନ ଦେବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଉଭୟ ନେତାଙ୍କୁ ଇସି ଚେତାବନୀ ଦେଇଛନ୍ତି। ପୂର୍ବରୁ ଇସି ସେମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌ ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିରୁ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତ୍‌ଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହାକୁ ନେଇ ଆପତ୍ତି ଉଠିବା ପରେ ସେ ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ସେହିପରି ଭାଜପା ଏମ୍‌ପି ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଆପତ୍ତିଜନକ ବୟାନ ଦେଇଥିଲେ।

Share