ଇକୋ ଚାମ୍ବର

କିଛିବର୍ଷ ହେବ ଭାରତ ସରକାରଙ୍କ କୂଟନୈତିକ ବିଫଳତା ଦେଶବାସୀଙ୍କୁ ଅଡ଼ୁଆରେ ପକାଇଛି। ୨୦୨୦ରେ ମାଲେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଭାରତର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ମତ ଦେଇଥିବାରୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ବୁଦ୍ଧିରେ କେନ୍ଦ୍ର ସରକାର ସେହି ଦେଶରୁ ପାମ୍‌ ତେଲ ଆମଦାନୀ ବନ୍ଦ କରିଦେଇଥିଲେ। ତା’ ପୂର୍ବରୁ ନେପାଳର ଗଣତାନ୍ତ୍ରିକ ସରକାର ହିନ୍ଦୁ ରାଷ୍ଟ୍ରରୁ ଧର୍ମନିରପେକ୍ଷ ହେବା ପାଇଁ ସମ୍ବିଧାନ ସଂଶୋଧନ କରାଇବା ଫଳରେ ଭାରତ ସରକାରଙ୍କ ଦେହ ସହିଲା ନାହିଁ। ସେତେବେଳେ କୁହାଯାଇଥିଲା, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ପ୍ରରୋଚନାରେ ନେପାଳରେ ପୁନର୍ବାର ରାଜାଙ୍କ ଶାସନ ଫେରାଇ ଆଣିବା ପାଇଁ ଭାରତ ତରଫରୁ ଉଦ୍ୟମ ହୋଇଥିଲା। ସେହି ପ୍ରଚେଷ୍ଟା ବିଫଳ ହେଲା ଓ ଆଜି ପର୍ଯ୍ୟନ୍ତ ଭାରତ ସହିତ ନେପାଳର ସମ୍ପର୍କ ତିକ୍ତ ରହିଛି। ଶ୍ରୀଲଙ୍କାର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରିଥିବାରୁ ସେହିଭଳି ତିକ୍ତତା ସେଠାକାର ସାଧାରଣ ନାଗରିକଙ୍କ ଭାରତ ପ୍ରତି ସୃଷ୍ଟି ହୋଇଥିଲା। ଆଜି ପର୍ଯ୍ୟନ୍ତ ଶ୍ରୀଲଙ୍କା-ଭାରତ ସମ୍ପର୍କରେ ଉନ୍ନତି ଆସିପାରି ନାହିଁ। ଏଭଳିକି ସେହି ଦେଶରେ ଚାଇନା ତା’ର ନୌସେନା ଘାଟି ଓ ବିମାନବନ୍ଦର ସ୍ଥାପନ କରିବାରେ ସଫଳ ହୋଇଛି। ଚାଇନା ଓ ପାକିସ୍ତାନ କଥା ନ କହିଲେ ଭଲ। ଗତ ସପ୍ତାହରେ ଭାରତର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ତାଙ୍କ ଚାଇନା ଗସ୍ତ ବାତିଲ କରିଦେଲେ। କାରଣ ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ଚାଇନା ଭିଜା ଦେବାକୁ ମନା କରିଦେଲା। ଚାଇନାର କହିବା ଅନୁଯାୟୀ, ଅରୁଣାଚଳ ପ୍ରଦେଶ ଚାଇନାର ଏକ ଅଙ୍ଗ ହୋଇଥିବାରୁ ସେଠାକାର ବାସିନ୍ଦାଙ୍କୁ ଭିଜାର ପ୍ରୟୋଜନ ନାହିଁ। ଏହା ପୂର୍ବରୁ, ଜି୨୦ ବୈଠକ ଅନୁଷ୍ଠିତ ହେବା ଆଗରୁ ଚାଇନା ସରକାର ଦେଶର ମାନଚିତ୍ର ପ୍ରକାଶ କରିଥିଲା; ଯେଉଁଥିରେ ଅରୁଣାଚଳଠାରୁ ଆରମ୍ଭ କରି ଲଦାଖକୁ ତା’ ଦେଶର ଅନ୍ତର୍ଭୁକ୍ତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲା। ଏହା ହେଲା ପ୍ରାୟ ସବୁ ପଡ଼ୋଶୀଙ୍କ ସହିତ ଅପଡ଼ ହୋଇଯାଇଥିବା ଭାରତୀୟଙ୍କ ଚିତ୍ର।
ଏବେ ଚାଇନା ପରେ ଭାରତର ନୂଆ ଶତ୍ରୁ ଭାବେ କାନାଡା ଉଭା ହୋଇଛି। ତଥାକଥିତ ଖଲିସ୍ତାନ ସପକ୍ଷବାଦୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିବା ପରଠାରୁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ବନ୍ଧ ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ଦୁଇ ରାଷ୍ଟ୍ର ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିବା ସହ ଭିଜା କଟକଣା ସର୍ବୋଚ୍ଚରେ ପହଞ୍ଚତ୍ଛି। ତତ୍‌କ୍ଷଣାତ୍‌ ଏଭଳି ନିଷ୍ପତ୍ତି ଓ ପଦକ୍ଷେପ ନେବା ଲାଗି ସୋସିଆଲ ମିଡିଆ ମାଧ୍ୟମରେ ଭାରତରେ ଦେଶପ୍ରେମୀଙ୍କ ଆକ୍ରମଣ ଅଧିକ ଦାୟୀ ବୋଲି କୁହାଯାଇପାରେ। ବିଶେଷକରି ଭାରତରେ ଯେଉଁମାନେ ଅତ୍ୟଧିକ ଦେଶଭକ୍ତି ଦେଖାଇ କାନାଡାକୁ ଗାଳି ଦେବାରେ ଲାଗିଛନ୍ତି, ସେମାନେ କୂଟନୈତିକ ସ୍ଥିତି ସମ୍ପର୍କରେ କିଛି ଜାଣିନାହାନ୍ତି। କାନାଡା ଜନସଂଖ୍ୟାର ୨.୧ ପ୍ରତିଶତ ହେଉଛନ୍ତି ଭାରତୀୟ ଶିଖ୍‌। ସେଠାକୁ ପାଠପଢ଼ିବାକୁ ହେଉ ବା ଚାକିରି ଅନ୍ବେଷଣରେ ପ୍ରତିବର୍ଷ ଅନେକ ସଂଖ୍ୟକ ଭାରତୀୟ ମଧ୍ୟ ଯାଇଥାଆନ୍ତି। ଏବେ ଭିଜା କଟକଣା ଓ ଦୁଇ ଦେଶ ମଧ୍ୟରେ ଅପ୍ରୀତିକର ସ୍ଥିତି ଦେଖାଦେଇଥିବାରୁ ତାହା କେବଳ ଭାରତୀୟଙ୍କୁ କ୍ଷତି ପହଞ୍ଚାଇବ ବୋଲି ଦେଶଭକ୍ତି ଦେଖାଉଥିବା ବ୍ୟକ୍ତିମାନେ ବୁଝିବା ଦରକାର। କାରଣ କାନାଡାରୁ ସାଧାରଣ ନାଗରିକ ଆସି ଭାରତରେ ବ୍ୟବସାୟ ବା କାର୍ଯ୍ୟ କରିବା ପାଇଁ ଆଶାୟୀ ନାହାନ୍ତି। କାନାଡା ରାଜଧାନୀ ଓଟାଓ୍ବାରେ ଥିବା ଭାରତୀୟ ଦୂତାବାସରେ ଧାଡ଼ି ଲାଗି ନ ଥାଏ। ଅପରପକ୍ଷରେ ଦିଲ୍ଲୀରେ ଥିବା କାନାଡା ଦୂତାବାସରେ ପ୍ରତ୍ୟେକ ଦିନ ଲମ୍ବା ଧାଡ଼ି ଯେକୌଣସି ବ୍ୟକ୍ତି ଦେଖିପାରିବେ।
ଆଜିର ସ୍ଥିତି ଦେଖିଲେ ଭାରତୀୟ କୂଟନୀତି ‘ଇକୋ ଚାମ୍ବର’ ବା ବାରମ୍ବାର ପ୍ରତିଧ୍ୱନିତ ହେଉଥିବା ଶବ୍ଦ ବଳୟରେ ପଡ଼ିଯାଇଛି। ସୋସିଆଲ ମିଡିଆରେ ସରକାରଙ୍କ ସମର୍ଥକମାନେ ବାରମ୍ବାର କାନାଡା ବିରୋଧରେ କହିବା ଫଳରେ ମନେହେଉଛି ଯେପରି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ନୀତି ସେହି ପ୍ରତିଧ୍ୱନିକୁ ସନ୍ତୁଷ୍ଟ କରିବାକୁ ଯାଇ ନିମନ୍ତ୍ରଣ ଦେଉଛି।
କାନାଡା ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଅପେକ୍ଷା ଅଧିକ ଉଦାରତା ପ୍ରଦର୍ଶନ କରି ଅନେକ ଭାରତୀୟଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେଇଛି। ସେଠାକାର ପାର୍ଲାମେଣ୍ଟରେ ଶିଖ୍‌ମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସହ ଆର୍ଥିିକ ବ୍ୟାପାର କ୍ଷେତ୍ରରେ ଥିବା ଉଚ୍ଚ ପଦବୀରେ ମଧ୍ୟ ଅବସ୍ଥାପିତ ହୋଇପାରିଛନ୍ତି। ନିକଟରେ ନୂଆଦିଲ୍ଲୀଠାରେ ସୁରୁଖୁରୁରେ ଶେଷ ହୋଇଥିବା ଜି୨୦ ସମ୍ମିଳନୀ ଓ ଚନ୍ଦ୍ରୟାନ-୩ର ସଫଳତାରେ ଗଦଗଦ ହେଉଥିବା ଅନେକ ଭାରତୀୟ ଭାବି ନେଲେଣି ଯେ, ଭାରତ ବିଶ୍ୱ ସ୍ତରରେ ତା’ର ପତିଆରା ବୋଧେ ଜାହିର କରିସାରିଲାଣି। ଉପରଲିଖିତ ଦୁଇଟି ବିଷୟରେ ଭାରତର ସଫଳତା ଲାଗି ପ୍ରତ୍ୟେକ ଭାରତୀୟ ଖୁସି ହେବା ସ୍ବାଭାବିକ। କିନ୍ତୁ ଆଜିର ଭୂ-ରାଜନୈତିକ ସ୍ଥିତିକୁ ଦେଖିଲେ ଏଭଳି ସଫଳତାକୁ ସବୁ କ୍ଷେତ୍ରରେ ବ୍ୟବହାର କରାଯାଇ ନ ପାରେ। ନିଜ୍ଜରଙ୍କୁ ଭାରତୀୟ ଗୋଇନ୍ଦା ଏଜେଣ୍ଟ ହତ୍ୟା କରିଛନ୍ତି ବୋଲି ଟ୍ରୁଡୋ ମନ୍ତବ୍ୟ ଦେବା ପରେ ଭାରତ ଅଚାନକ ପ୍ରତିକ୍ରିୟାଶୀଳ ହୋଇପଡ଼ିବା ଉଚିତ ନ ଥିଲା। ସବୁବେଳେ ନିଜର କ୍ରେଧ ପ୍ରକଟ କଲେ କୂଟନୈତିକ ବିଶ୍ୱରେ ଗୁରୁତ୍ୱ ହାସଲ କରିବା କଷ୍ଟକର। ଯେହେତୁ କାନାଡା ମାଟିରେ ନିଜ୍ଜରଙ୍କୁ ହତ୍ୟା କରାଗଲା, ସମ୍ଭବତଃ ପ୍ରତିକ୍ରିୟାଶୀଳ ହୋଇ ଟ୍ରୁଡୋ ଭାରତ ଉପରେ ଦୋଷ ଲଦିଥିଲେ ବୋଲି ଆଲୋଚନା ହୋଇଥିଲା। ସେହି ମନ୍ତବ୍ୟକୁ ନେଇ ଭାରତ ପ୍ରତିକ୍ରିୟାଶୀଳ ହେବା ଫଳରେ ଏବେ ଆମେରିକାର ମତ ପ୍ରକାଶ ପାଇଲାଣି ଯେ, ସେହି ହତ୍ୟା ସମ୍ପର୍କିତ ଗୋଇନ୍ଦା ତଥ୍ୟକୁ ଆମେରିକା ସମେତ ‘ଫାଇଭ୍‌ ଆଇଜ୍‌’ (ପାଞ୍ଚ ଆଖି)ର ଅନ୍ୟ ସଦସ୍ୟ ଦେଶଗୁଡ଼ିକ ଯୋଗାଇଥିଲେ। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜଲାଣ୍ଡ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଗୋଇନ୍ଦା ସାମ୍ମୁଖ୍ୟ ‘ଫାଇଭ୍‌ ଆଇଜ୍‌’ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚିତ ହୋଇଥାଏ।
ଉପରଲିଖିତ ଘଟଣାକ୍ରମକୁ ଦେଖିଲେ ଭାରତ ଅତି ସତର୍କତାର ସହିତ ଏଭଳି ସ୍ଥିତିକୁ ପରିଚାଳନା କରିବା ଦରକାର। ନିଜ୍ଜର ହତ୍ୟା ପଛରେ ଭାରତର ହାତ ରହିଛି କି ନାହିଁ, ତାହା ନିରପେକ୍ଷ ତଦନ୍ତରୁ ଜଣାପଡ଼ିପାରେ। କିନ୍ତୁ ତାହା ଆଜିର ପରିସ୍ଥିତିରେ ସମ୍ଭବପର ନୁହେଁ। ଯେହେତୁ ‘ଫାଇଭ୍‌ ଆଇଜ୍‌’ ଭଳି ଗୋଇନ୍ଦା ସଂସ୍ଥା ଭାରତ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ସେଭଳି ସ୍ଥଳରେ ନୂଆଦିଲ୍ଲୀ ସଂଯମ ଆଚରଣ ପ୍ରଦର୍ଶନ କରିବା ବୁଦ୍ଧିମାନର କାର୍ଯ୍ୟ ହୁଅନ୍ତା। କାନାଡା ରାଜନୈତିକ ପରିମଣ୍ଡଳକୁ ଦେଖିଲେ ସେଠାରେ ଭାରତୀୟ ଶିଖ୍‌ମାନଙ୍କ ପ୍ରଭାବ ରହିଥିବାରୁ ଟ୍ରୁଡୋ ସେମାନଙ୍କ ସମର୍ଥନ ହାସଲ ନିମନ୍ତେ ଭାରତ ବିରୋଧୀ ମନ୍ତବ୍ୟକୁ ଅସ୍ତ୍ର କରିଥାଇପାରନ୍ତି। ଫାଇଭ୍‌ ଆଇଜ୍‌ର ରିପୋର୍ଟ ତାଙ୍କ ଆଶଙ୍କାକୁ ଖୋରାକ ଯୋଗାଇଥିବାରୁ ଆଗକୁ ଥିବା ନିର୍ବାଚନରେ ଏହା କାମ ଦେବ ଭାବି ଟ୍ରୁଡୋ ଏଭଳି ଗୁଗୁଲି ଫିଙ୍ଗିଥାଇପାରନ୍ତି। ସବୁ ଗଣତନ୍ତ୍ରରେ ନେତାମାନେ ଭୋଟ ପାଇଁ ନିଜ ଦେଶବାସୀଙ୍କୁ ମରେଇ ଦେଉଥିବାର ନିକଟ ଅତୀତରେ ଅନେକ ଦୃଷ୍ଟାନ୍ତ ରହିଛି। ଟ୍ରୁଡୋ ମଧ୍ୟ ସେହିଭଳି କିଛି କରିଥାଇପାରନ୍ତି। ତାଙ୍କର ଭୋଟ ପାଇଁ ସେ ଯାହା କରୁଛନ୍ତି, ସେଥିରେ ଭାରତ ତା’ର ସନ୍ତାନମାନଙ୍କୁ ନିଜ ପ୍ରତିକ୍ରିୟା ଦ୍ୱାରା ଦୂରେଇ ଦେଉଛି। ଏହା ବୁଦ୍ଧିମାନର କୂଟନୀତି ନୁହେଁ ବୋଲି ସ୍ପଷ୍ଟ ବୁଝାପଡ଼ୁଛି।