ଆଜିଠୁ ଏମ୍‌ସରେ ଏକ୍‌ମୋ ସେବା

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଗୁରୁବାରଠାରୁ ଏକ୍‌ମୋ ସେବା ଆରମ୍ଭ ହେବ। କାର୍ଡିଓଲୋଜି, ଆନାସ୍ଥେସିଆ, ପଲ୍‌ମୋଲୋଜି, ଶିଶୁରୋଗ ଆଦି ବିଭାଗର ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏମ୍‌ସ ଏହି ଚିକିତ୍ସା ସେବା ପ୍ରଦାନ କରିବ। ସୂଚନାଯୋଗ୍ୟ, ଓଡ଼ିଶାରେ କୌଣସି ସରକାରୀ ହସ୍ପିଟାଲରେ ଏକ୍‌ମୋ ମେଶିନ ନ ଥିବାରୁ ସେବା ମିଳୁ ନ ଥିଲା। କରୋନା ସମୟରେ ଏକ୍‌ମୋ ଚିକିତ୍ସାର ଅଧିକ ଆବଶ୍ୟକ ପଡ଼ିଥିଲା। ଏଠାକାର ବହୁ ଗୁରୁତର ରୋଗୀ ଚେନ୍ନାଇ, କୋଲକାତା ଆଦି ରାଜ୍ୟ ଉପରେ ନିର୍ଭର କରୁଥିଲେ। ଏହି ଚିକତ୍ସା ପାଇଁ ବହୁ ଟଙ୍କା ଆବଶ୍ୟକ ପଡ଼ୁଥିବାରୁ ଅନେକ ବାହାର ରାଜ୍ୟକୁ ଯାଇ ନ ପାରି ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଏମ୍‌ସରେ ଏହି ଚିକିତ୍ସା ସେବା ଆରମ୍ଭ ହେଲେ ଲୋକଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। ଏମ୍‌ସରେ ଏହି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ଆଉ ଏକ ଏକ୍‌ମୋ ମେଶିନ ମଧ୍ୟ ଆସୁଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ପହଞ୍ଚତ୍ବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କଟକ ଏସ୍‌ସିବିରେ ଖୁବ୍‌ଶୀଘ୍ର ଏହି ଏକ୍‌ମୋ ସେବା ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସୁଛି ଓ ଏଥିପାଇଁ ପ୍ରଶିକ୍ଷିତ ମାନବସମ୍ବଳର ମଧ୍ୟ ଆବଶ୍ୟକତା ରହିଛି।

Share