ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା ସୂଚନା ଦେଇଛନ୍ତି। ଗତବର୍ଷ ଭଳି ୱାଟର ସ୍ପୋଟର୍‌ସ, ଜଳ କ୍ରୀଡ଼ା, ପର୍ଯ୍ୟଟନ ସ୍ଥଳରେ ଭ୍ରମଣ, ରହିବା ପାଇଁ ଅତ୍ୟାଧୁନିକ କୋଠରି ଓ ଖାଇବା ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି। ଗତବର୍ଷ ଅପେକ୍ଷା ଏଥର ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବା ନେଇ ପ୍ରଶାସନ ଆଶା ରଖିଥିବା ପର୍ଯ୍ୟଟନ ବିଭାଗ ଡେପୁଟି ଡାଇରେକ୍ଟର ହେମନ୍ତ କୁମାର ପ୍ରଧାନ କହିଛନ୍ତି।
ସେ କହିଛନ୍ତି, ଗତବର୍ଷ ପ୍ରଥମ ଥର ଲାଗି ଏଠାରେ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଥିଲା। ସେଭଳି ପ୍ରଚାର ପ୍ରସାର ହୋଇ ନ ଥିଲେ ହେଁ ପର୍ଯ୍ୟଟକ ସଂଖ୍ୟା ବେଶ୍‌ ଭଲ ରହିଥିଲା। କଟେଜ୍‌ଗୁଡିକ ପ୍ରାୟ ୪୦ ପ୍ରତିଶତ ବୁକ ରହିଥିଲା। କୋଭିଡ୍‌ କଟକଣା ପାଇଁ ଗାଇଡ୍‌ ଲାଇନ ସରକାରୀ ସ୍ତରରେ ଦିଆଯିବ। ଏହା ସହ ଇକୋ ରିଟ୍ରିଟ୍‌ରେ ସ୍କାଏଡିଂ, ଜଳଭଣ୍ଡରରେ ପାରା ମୋଟରିଂ, କୟାକ, ଜେଟ ସ୍କି, ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ, ସାଇକ୍ଲିଂ, ମାଛ ମାରିବା, ଯୋଗ ଅଭ୍ୟାସ କରିପାରିବେ। ପର୍ଯ୍ୟଟକଙ୍କ ପାଇଁ ୨୦ ଗୋଟି ପ୍ରିମିୟମ ଟେଣ୍ଟ, ୫ଟି ରଜୱାଡି ଟେଣ୍ଟ ସହ ଅଭ୍ୟର୍ଥନା କକ୍ଷ, ସମ୍ମିଳନୀ କକ୍ଷ, ରେଷ୍ଟୁରାଣ୍ଟ ମଧ୍ୟ ରହିବ। ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଫେଷ୍ଟିଭାଲ ଚାଲିବ।

Share