ବେଳାଭୂମିରେ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ: ୭ରୁ ୧୦ ହଜାର ଟଙ୍କାରେ ବୁକ୍‌ ହେଉଛି ରୁମ୍‌

ଚିକିଟି,୧ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନାପୁର ବେଳାଭୂମିରେ ଚଳିତ ବର୍ଷର ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବେଳାଭୂମିରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ରାଜ୍ୟ ସରକାର ପ୍ରାକୃତିକ ପରିବେଶରେ ଅବସର ବିନୋଦନ ପାଇଁ ଗତ କିଛି ବର୍ଷ ହେଲା ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ ବ୍ୟବସ୍ଥା କରିଛନ୍ତି ବୋଲି କହିଥିତ୍ଲେ। ଯାହାକି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି।

ବେଳାଭୂମିରେ ପର୍ଯ୍ୟଟକମାନଙ୍କ ପାଇଁ ୨୫ଟି ଅତ୍ୟାଧୁନିକ ତମ୍ବୁଘର ନିର୍ମାଣ ହୋଇଛି। ଏଥିରେ ହୋଟେଲ ଭଳି ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ, ସମ୍ମିଳନୀ କକ୍ଷ ରହିଛି। ତମ୍ବୁଘର ଗୁଡିକର ମୂଲ୍ୟ ୭ ହଜାର ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କାର୍ଯ୍ୟକ୍ରମରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମ, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ, ଜିଲା ପର୍ଯ୍ୟଟକ ଅଧିକାରୀ ବିନୋଦ କୁମାର ବେହେରା, ଚିକିଟି ତହସିଲଦାର ବଳଦେବ ବେହେରା, ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ସମେତ ବିଦ୍ୟୁତ ବିଭାଗ, ଗ୍ରାମ୍ୟଜଳ ଯୋଗାଣ ଏବଂ ଟିୟୁରିଜିମ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।