ଏବେ ଆହୁରି ଖରାପ ହେବ ଦେଶର ଆର୍ଥିକ ପରିସ୍ଥିତି: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୧୪ ।୫: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ପୂର୍ବରୁ ଆହୁରି ଖରାପ ହେବ । ଏବେ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏବେ ସେଠାରେ ଇନ୍ଧନର ଘୋର ଅଭାବ ଦେଖାଦଇଛି । ଏହାସହ ଖାଦ୍ୟ ସାମଗ୍ରୀର ଦର ବି ଆକାଶଛୁଆଁ ହୋଇଛି । କେତେଜଣ ଶ୍ରୀଲଙ୍କା ନାଗରିକ ଭୋଜନ କରିବା ବନ୍ଦ କରିଦେଇଥିବା ଜଣାପଡିଛି ।
ଏଭଳି ଆର୍ଥିକ ସଙ୍କଟକୁ ସୁଧାରିବାରେ ସରକାର ଅସଫଳ ହୋଇଥିବା ଦର୍ଶାଇ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି, ଯାହା ପରେ ହିଂସାର ରୂପ ନେଉଛି । ଏହାପରେ ସୋମବାର ମହିନ୍ଦା ରାଜପାକ୍‌ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଆଉ ଏହାର ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମାସିଂଘେ । ୨୬ ତମ ପ୍ରଧାନମନ୍ତ୍ରୀ ଭାବେ ସେ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ବିବିସିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସୁନିଶ୍ଚିତ କରିଥିଲେ, ଯେ ଦେଶର ସମସ୍ତ ପରିବାରକୁ ୩ଥର ଭୋଜନ ମିଳିବ ।
ସୂଚନାଯୋଗ୍ୟ, ବିଶ୍ୱର ବିଭିନ୍ନ ଦେଶରୁ ଅଧିକ ଆର୍ଥିକ ସହାୟତା ମାଗିଥିବା ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ପୂର୍ବରୁ ଆହୁରି ବିଗିଡି ଯିବ । ହେଲେ ଦେଶରେ ଅନାହାର ସମସ୍ୟାକୁ ଆମେ ସମାଧାନ କରିବୁ । ତେଣୁ ଶ୍ରୀଲଙ୍କାବାସୀ ଧୈର୍ଯ୍ୟ ଧରନ୍ତୁ ବୋଲି ସେ କହିଛନ୍ତି ।

Share