ତାଳଚେର,୩୦ା୫(ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜ ପରିଚାଳନା ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରୁ ନ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ ୧ ତାରିଖଠାରୁ ତାଳଚେରରେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ। ଶନିବାର ଏମ୍ସିଏଲ୍ ସହ ହୋଇଥିବା ବୈଠକ ବିଫଳ ହେବା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ତାଳଚେର ମେଡିକାଲ କଲେଜ ପରିଚାଳନା କରିବାକୁ ସରକାର ଘୋଷଣା କରିସାରିଛନ୍ତି। ହେଲେ ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଆସନ୍ତା ୩୧ ତାରିଖ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରା ନ ଗଲେ ଜୁନ୍ ୧ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଦାବିପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା। ଏ ନେଇ ଏମ୍ସିଏଲ୍ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ କ୍ରିୟାନୁଷ୍ଠାନ କମିଟି ମଧ୍ୟରେ ବୈଠକ ବସିଥିଲା। ଏଥିରେ ଏମ୍ସିଏଲ୍ ଅଧ୍ୟକ୍ଷଙ୍କ ପ୍ରତିନିଧି ରାମଲାଲ ଖଡିଂ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଅଶୋକ କୁମାର ଧଳ, ଚିଫ୍ ପର୍ସନାଲ ମ୍ୟାନେଜର ଦୁର୍ଗାପ୍ରସାଦ ସାମଲ, ପର୍ସନାଲ ମ୍ୟାନେଜର ବିରଞ୍ଚି ନାରାୟଣ ଦାସ, କ୍ରିୟାନୁଷ୍ଠାନ କମିଟି ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ପ୍ରେସ୍ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରମିକ ନେତା ମନୋଜ ପ୍ରଧାନ, ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ୱାଳ, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ, ଭୂପେନ ଥମ୍ବ ପ୍ରମୁଖ ଉପସ୍ଥିତ ଥିଲେ। ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାର ମାଗିଥିବା ଆବଶ୍ୟକ ଅର୍ଥ ଓ ଅନ୍ୟାନ୍ୟ ସୁବିଧା କୋଇଲା ଖଣି କର୍ତ୍ତୃପକ୍ଷ ଯୋଗାଇ ଦେବା ପାଇଁ ସମ୍ମତି ପ୍ରକାଶ କରିଥିବାରୁ ଆନ୍ଦୋଳନ ନ କରିବା ପାଇଁ ଖଣି କର୍ତ୍ତୃପକ୍ଷ କ୍ରିୟାନୁଷ୍ଠାନ କମିଟିକୁ ଅନୁରୋଧ କରିଥିଲେ। ହେଲେ ସରକାର କାହିଁକି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି ବୋଲି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଦୀର୍ଘ ୪ ବର୍ଷ ହେବ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହା କେବେଠାରୁ କାର୍ଯ୍ୟକ୍ଷମ ହେବ ସେ ନେଇ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ସରକାର ତାଳଚେରବାସୀଙ୍କୁ ଦିଅନ୍ତୁ ବୋଲି କହି କମିଟି କର୍ମକର୍ତ୍ତାମାନେ ବୈଠକରୁ ଉଠି ଆସିଥିଲେ।