ଅର୍ଥନୈତିକ ସଙ୍କଟ ଲୋକଙ୍କ ମନରୁ ପୋଛି ଦେଲା ସାମ୍ପ୍ରଦାୟିକତା ଭାବନା…

କଲମ୍ବୋ, ୧୦।୪ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଜନଅସନ୍ତୋଷ ଦେଖାଦେଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ବୃଦ୍ଧି ପାଉଛି। ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଭାରତ ନିରନ୍ତର ସାହାଯ୍ୟ କରୁଛି। ଏହି ସବୁ ଅସୁବିଧା ମଧ୍ୟରେ, ଖୁସି ଖବର ହେଉଛି ଯେ ଶ୍ରୀଲଙ୍କାରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଅସମ୍ଭବ ଥିଲା ତାହା ସମ୍ଭବ ହୋଇଛି। ଅର୍ଥନୈତିକ ସଙ୍କଟ ଲୋକଙ୍କ ମନରୁ ସାମ୍ପ୍ରଦାୟିକତା ଭାବନା ପୋଛି ଦେଇଛି। ଲୋକେ ଜାତି ଧର୍ମର କାନ୍ଥ ଭାଙ୍ଗି ଏକତ୍ରିତ ହୋଇଛନ୍ତି।

ସିଂହଳୀ, ତାମିଲ ଏବଂ ମୁସଲମାନମାନେ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସରକାରରେ ଥିବା ରାଜନୈତିକ ଦଳ ଶ୍ରୀଲଙ୍କାର ଜାତିଗତ ବିଭାଜନକୁ ଅଣଦେଖା କରିଛନ୍ତି। ଶ୍ରୀଲଙ୍କାର ଲୋକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଏକ ଜାତିଗତ କାନ୍ଥ ରହିଆସିଥିଲା। ଏହାକୁ ଶେଷ କରିବା ପାଇଁ କେହି କିଛି କରିନାହାଁନ୍ତି। ମାତ୍ର ଏହାର ସୁଯୋଗ ନେଇଛନ୍ତି। ୨୦୦୯ରେ ଗୃହଯୁଦ୍ଧ ଶେଷ ହେବା ପରେ ମଧ୍ୟ ଏହାକୁ ପ୍ରୋତ୍ସାହିତ କରାଯାଇଥିଲା।

ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ରାସ୍ତାରେ ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଉଛନ୍ତି, ’ଆମେ ଶ୍ରେଣୀ ଦ୍ୱାରା ବିଭକ୍ତ ନୁହଁ, ଜାତି ଦ୍ୱାରା ବିଭାଜିତ ନୁହଁ’।
’ଆମେ ଭାରତ ସରକାରଙ୍କ ପ୍ରତି କୃତଜ୍ଞ’। ତାମିଲ ସାଂସଦ ଏମ.ଏ ସୁମନ୍ତୀରନ କହିଛନ୍ତି ଅତୀତକୁ ଓଲଟପାଲଟ କରିବା ପାଇଁ ବର୍ତ୍ତମାନ ଏକ ସୁଯୋଗ ସୃଷ୍ଟି ହୋଇଛି। ସେଥିପାଇଁ ସେ ଶ୍ରୀଲଙ୍କାର ତାମିଲଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇବା ଲାଗି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପ୍ରସ୍ତାବକୁ ନମ୍ର ଭାବେ ମନା କରିଥିଲେ।

ସୁମନ୍ତୀରନ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ଆମେ କୃତଜଜ୍ଞ। ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ରସ୍ତାବକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ସେହି ସହାୟତା କେବଳ ତାମିଲଙ୍କ ପାଇଁ ନୁହେଁ ଏହି ସମୟରେ ସମସ୍ତ ଶ୍ରୀଲଙ୍କାବାସୀଙ୍କ ପାଇଁ ହେବା ଉଚିତ। ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

Share