କ୍ଷୀର ଲିଟର ୨୧୦, ଚିକେନ୍‌ କିଲୋ ୭୦୦

ଇସଲାମାବାଦ୍‌,୧୪।୨:ପାକିସ୍ତାନ କ୍ରମାଗତ ଭାବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ବଢୁଥିବା ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଦେଶର ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ, କରାଚିରେ କ୍ଷୀରର ମୂଲ୍ୟ ଲିଟର ୧୯୦ ରୁ ଲିଟର ପିଛା ୨୧୦କୁ ବୃଦ୍ଧି ହୋଇଛି। ସେହିପରି ଚିକେନ ମାଂସ ବର୍ତ୍ତମାନ କିଲୋଗ୍ରାମରେ ୭୦୦-୭୮୦ ଟଙ୍କାରେ ବିକ୍ରି ହେଉଛି, ଯାହାକି କିଛି ଦିନ ପୂର୍ବରୁ କିଲୋଗ୍ରାମରେ ୬୨୦-୬୫୦ ଟଙ୍କା ଥିଲା।
ପାକିସ୍ତାନର ସାଧାରଣ ଜନତାଙ୍କ ପାଇଁ ଆଗାମୀ ଦିନରେ ଅଧିକ ଅସୁବିଧା ଆସିବାକୁ ଯାଉଛି। ଋଣ ଦେବା ପାଇଁ ଆଇଏମଏଫ ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତଗୁଡ଼ିକରେ ସବସିଡି ରଦ୍ଦ ମଧ୍ୟ ସାମିଲ ଅଛି। ଆଇଏମଏଫ କହିଛି ଯେ, ପାକିସ୍ତାନ ସବସିଡି ହ୍ରାସ କରିବା ସହ ରାଜସ୍ବ ବୃଦ୍ଧି କରିବା ଉଚିତ। ପେଟ୍ରୋଲିୟମ ତୈଳ ଦ୍ରବ୍ୟ ଉପରେ ଜିଏସ୍ଟି ଆଦାୟ ସହିତ ଜିଏସ୍‌ସିକୁ ୧୭ ରୁ ୧୮ ପ୍ରତିଶତକୁ ବୃଦ୍ଧି କରିବା ସହିତ ଆଇଏମଏଫ ସ୍ଥାୟୀ ରାଜସ୍ବ ପଦକ୍ଷେପ ପାଇଁ ଦାବି କରୁଛି।
ଅର୍ଥ ମନ୍ତ୍ରଣାଳୟର ଏକ ବରିଷ୍ଠ ସୂତ୍ର ଅନୁଯାୟୀ, ପ୍ରତିରକ୍ଷା ବଜେଟକୁ ୧୦-୧୫ ପ୍ରତିଶତ ହ୍ରାସ କରିବାକୁ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଆଇଏମଏଫ ସର୍ତ୍ତ ଉପରେ ଆଲୋଚନା କରିଛନ୍ତି।

Share