Categories: ଜାତୀୟ

ଅର୍ଥନୀତିଜ୍ଞ ଈଶରଙ୍କ ପରଲୋକ

ନୂଆଦିଲ୍ଲୀ, ୨୭।୯: ମସ୍ତିଷ୍କ କର୍କଟରେ ଦୀର୍ଘ ୧୦ ମାସ ଧରି ପୀଡ଼ିତ ଥିବା ଅର୍ଥନୀତିଜ୍ଞ ଈଶର ଜଜ୍‌ ଆହଲୁଓ୍ବାଲିଆଙ୍କ ଶନିବାର ପରଲୋକ ହୋଇଯାଇଛି। ଅକ୍ଟୋବର ପହିଲାକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥାଆନ୍ତା। ସେ ଯୋଜନା କମିଶନର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ୍‌ ସିଂ ଆହଲୁଓ୍ବାଲିଆଙ୍କ ସହଧର୍ମିଣୀ ଥିଲେ। ତାଙ୍କର ଦୁଇ ପୁଅ ପବନ ଓ ଅମନ ଅଛନ୍ତି। ଈଶର ଇଣ୍ଡିଆନ୍‌ କାଉନ୍‌ସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନମିକ୍‌
ରିଲେଶନ୍ସ (ଆଇସିଆର୍‌ଆଇଇଆର୍‌)ର ନିର୍ଦ୍ଦେଶକ ଥିଲେ। ପରେ ସେ ୧୫ ବର୍ଷ ଧରି ଏହାର ଅଧ୍ୟକ୍ଷ ରହିଆସିଥିଲେ। ଏହି ଗବେଷଣା ସଂସ୍ଥାକୁ ସେ ଅନ୍ତର୍ଜାତୀୟ ସ୍ତରର ଥିଙ୍କ୍‌ ଟ୍ୟାଙ୍କରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମାସେ ତଳେ ଏହାର ଅଧ୍ୟକ୍ଷ ପଦରୁ ଓହରିଯାଇଥିଲେ। ଈଶର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ଭାରତ ଫେରିଆସି ସେ ଦୁଇଟି ପୁସ୍ତକ-‘ଇଣ୍ଡଷ୍ଟ୍ରିଆଲ୍‌ ଗ୍ରୋଥ୍‌ ଇନ୍‌ ଇଣ୍ଡିଆ: ଷ୍ଟାଗ୍‌ନେଶନ ସିନ୍‌ସ ଦି ମିଡ୍‌-ସିକ୍ସଷ୍ଟିଜ୍‌’ ଏବଂ ‘ପ୍ରଡକ୍ଟିଭିଟି ଆଣ୍ଡ୍‌ ଗ୍ରୋଥ୍‌ ଇନ୍‌ ଇଣ୍ଡିଆନ୍‌ ମାନ୍ୟୁଫାକ୍ଚରିଂ’ ରଚନା କରିଥିଲେ। ସେ ମଧ୍ୟ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଗତ ମାସ ତାଙ୍କ ଶେଷ ପୁସ୍ତକ ‘ବ୍ରେକିଂ ଥ୍ରୋ: ଏ ମେମୋର୍‌ ବାଇ ଈଶର ଜଜ୍‌ ଆହଲୁଓ୍ବାଲିଆ’ ପ୍ରକାଶ ପାଇଥିଲା।
ଈଶର ପଶ୍ଚିମବଙ୍ଗର ଶ୍ରୀ ଶିକ୍ଷାୟତନ ବିଦ୍ୟାଳୟରୁ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। କୋଲକାତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତି ବିଷୟରେ ପଢ଼ିବା ବେଳେ ସେ ୩୫ ଟଙ୍କାର ମେଧାବୃତ୍ତି ପାଇଥିଲେ, ଯାହା ତାଙ୍କୁ କଲେଜ ଫିଜ୍‌ ଓ ଘରୁ କଲେଜ ଯାଏ ଟ୍ରାମ୍‌ରେ ଯାତାୟାତ କରିବାରେ ସାହାଯ୍ୟ କରିଥିଲା। ଏହା ପରେ ସେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରୁ ଫେଲୋଶିପ୍‌ ହାସଲ କରିବା ତାଙ୍କ କ୍ୟାରିୟରକୁ ଅଧିକ ଉଜ୍ଜ୍ୱଳ କରିଦେଇଥିଲା। ତାଙ୍କ ଗବେଷଣା ବିଶେଷକରି ଗ୍ରାମୀଣ ବିକାଶ, ମାକ୍ରୋ ଇକୋନମିକ୍‌ ରିଫର୍ମସ, ଶିଳ୍ପ ସମ୍ବନ୍ଧୀୟ ବିକାଶ ଏବଂ ଭାରତରେ ସାମାଜିକ କ୍ଷେତ୍ରରେ ଉପୁଜୁଥିବା ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା।

Share