Categories: ଖେଳ

ଇକୋର୍ସା, ଭୁବନେଶ୍ୱର ‘ଏ’ ବିଜୟୀ

ଭୁବନେଶ୍ୱର, ୨୭।୫,(କ୍ରୀଡ଼ା ପ୍ରତିନିଧି):କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୨ ଦିନିଆ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଆରମ୍ଭ ହୋଇଥିବା ୪ ମ୍ୟାଚରୁ ୨ଟିରୁ ଫଳାଫଳ ମିଳିଛି। ଏଥିରେ ଇକୋର୍ସା ଓ ଭୁବନେଶ୍ୱର ‘ଏ’ ଦଳ ବିଜୟୀ ହୋଇଛି। ମଳୟ ଜେନା ଓ ଅଙ୍କିତ ଯାଦବ ୫ ଉଇକେଟ ସଫଳତା ପାଇଥିବାବେଳେ ବିନାୟକ ସାହୁ (୧୬୨) ଶତକ ହାସଲ କରିଥିଲେ।
ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସା ୧୦ ଉଇକେଟରେ ସମ୍ବଲପୁରକୁ ପରାସ୍ତ କରିଛି। ସମ୍ବଲପୁର ଦଳ ୯୮ ରନକରି ଅଲ୍‌ଆଉଟ ହୋଇଥିଲା। ବିପକ୍ଷ ଦଳର ମଳୟ ଜେନା ଓ ଅଙ୍କିତ ଯାଦବ ୫ଟି ଲେଖାଏ ଉଇକେଟ ବାଣ୍ଟି ନେଇଥିଲେ। ବିଜୟ ଲକ୍ଷ୍ୟକୁ ଇକୋର୍ସା କୌଣସି ଉଇକେଟ ନ ହରାଇ ମାତ୍ର ୧୩.୩ ଓଭରରେ ହାସଲ କରି ନେଇଥିଲା। ସୁଜିତ ଲେଙ୍କା ୬୯ ଓ ଗିରିଜା ରାଉତ ୨୬ ରନରେ ଅପରାଜିତ ରହିଥିଲେ। ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ପଡ଼ିଆରେ ଭୁବନେଶ୍ୱର ‘ଏ’ ୧ ଉଇକେଟରେ ଢେଙ୍କାନାଳକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୪୪.୧ ଓଭରରେ ୧୫୩ ରନକରି ଅଲ୍‌ଆଉଟ ହୋଇଥିଲା। ଦଳ ପକ୍ଷରୁ କାହ୍ନା ଭୂତିଆ ୫୩ ଓ ମହମ୍ମଦ ସୁଲେମାନ ୫୦ ରନ କରିଥିଲେ। ପ୍ରତିପକ୍ଷ ଦଳର ମିନାଲ ପରିଡ଼ା ଓ ଅଂଶୁମାନ ବେଜ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ। ଭୁବନେଶ୍ୱର ‘ଏ’ ୪୦.୧ ଓଭରରେ ୯ ଉଇକେଟ ହରାଇ ୧୫୪ ରନ କରିଥିଲା। ଦଳ ପକ୍ଷରୁ ମାନସ ନାୟକ ସର୍ବାଧିକ ୪୨ ରନ କରିଥିଲେ। ଢେଙ୍କାନାଳର ବିକାଶ ରାଉତ ୩ଟି ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିଥିବା କଟକ-ଏ ୭୩.୩ ଓଭରରେ ୨୩୨ ରନକରି ଅଲ୍‌ଆଉଟ ହୋଇଥିଲା। ରାମଚନ୍ଦ୍ର ବେହେରା ୬୦ ଓ ସାଇଦୀପ ୫୨ ରନ କରିଥିଲେ। ବିପକ୍ଷ ଦଳର ପପୁ ରାୟ ଓ ନିରଞ୍ଜନ ଗୌଡ଼ା ୩ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦିବସ ଖେଳ ଶେଷ ବେଳକୁ ରେଷ୍ଟ ଅଫ୍‌ ଓଡ଼ିଶା-ସି ଦଳ ୧୪ ଓଭରରେ ୨ ଉଇକେଟ ହରାଇ ୬୭ ରନ କରିଛି। ଫଳରେ ଏହି ଦଳ ୮ ଉଇକେଟ ହାତରେ ଥାଇ ୧୬୫ ରନ ପଛରେ ରହିଛି। ଡ୍ରିମ୍ସ ପଡ଼ିଆରେ ଝାରସୁଗୁଡ଼ା ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରେଷ୍ଟ ଅଫ୍‌ ଓଡ଼ିଶା-ଡି ୯୦ ଓଭରରେ ୬ ଉଇକେଟ ହରାଇ ୩୭୯ ରନ କରିଛି। ଦଳ ପକ୍ଷରୁ ବିନାୟକ ସାହୁ ୧୬୨, କିଷାନ ରାଠ ୯୧ ଓ ଅମିତ ସାହୁ ୫୦ ରନ କରିଥିଲେ। ଝାରସୁଗୁଡ଼ା ପକ୍ଷରୁ ରାଜ କେ. ପଟେଲ ୩ଟି ଉଇକେଟ ନେଇଥିଲେ।

Share