କ୍ୱିଟୋ,୨୪।୭ (ଏପି): ଇକ୍ୱେଡୋର ଫୁଟବଲ କୋଚ୍ ପଦରୁ ଜୋର୍ଡି କ୍ରୁଇଫ୍ ଇସ୍ତଫା ଦେଇଛନ୍ତି। କୌଣସି ମ୍ୟାଚ୍ରେ ଦାୟିତ୍ୱ ନ ନେଇ ସ୍ପାନିଶ୍- ଡଚ୍ କୋଚ୍ କ୍ରୁଇଫ୍ ଏହି ନିଷ୍ପତ୍ତି ନେଇଛନ୍ତି। କ୍ରୁଇଫ୍ଙ୍କ ଅନୁରୋଧ କ୍ରମେ ତାଙ୍କ ଚୁକ୍ତି ଶେଷ କରାଯାଇଛି ବୋଲି ଇକ୍ୱାଡୋରିଆନ୍ ଫୁଟବଲ ଫେଡେରେଶନ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ଜୋର୍ଡି ହେଉଛନ୍ତି ପୂର୍ବତନ ନେଦରଲାଣ୍ଡ୍ସ ଫୁଟବଲର ଜୋହାନ କ୍ରୁଇଫ୍ଙ୍କ ପୁଅ। ଫେଡେରେଶନ ଅଧ୍ୟକ୍ଷଙ୍କୁ କ୍ରୁଇଫ୍ ଇସ୍ତଫା ପତ୍ର ପଠାଇଛନ୍ତି। ଚୁକ୍ତିର ସବୁ ନିୟମକୁ ପାଳନ କରାଯିବ ବୋଲି ଫେଡେରେଶନ ତରଫରୁ କୁହାଯାଇଛି। ୪୬ ବର୍ଷୀୟ ଜୋର୍ଡି ହେଉଛନ୍ତି ପୂର୍ବତନ ବାର୍ସିଲୋନା ଓ ମାଞ୍ଚେଷ୍ଟର ୟୁନାଇଟେଡ ମିଡ୍ଫିଲ୍ଡର। ସେ ଜାନୁୟାରୀରେ ଇଡ୍ବେଡର ସହ ୩ ବର୍ଷୀୟ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ତେବେ ଏହାପରେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା। ମାର୍ଚ୍ଚ ପରଠାରୁ ମଧ୍ୟ କ୍ରୁଇଫ୍ ଦକ୍ଷିଣ ଆମେରିକା ଗସ୍ତ କରିନାହାନ୍ତି। ଦକ୍ଷିଣ ଆମେରିକାରେ ବିଶ୍ୱକପ୍ କ୍ୱାଲିଫାୟର୍ସ ୩ ମାସ୍ ମଧ୍ୟରେ ଆରମ୍ଭ ହେବ। ଇକ୍ୱେଡର ତା’ର ପ୍ରଥମ ମ୍ୟାଚ୍ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନ ବିପକ୍ଷରେ ଖେଳିବ।