Categories: ଜାତୀୟ

ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଗିରଫ କଲା ଇଡି, ଆଇସିୟୁରେ ଭର୍ତ୍ତି; ଡିଏମକେ ଆଣିଲା ନିର୍ଯାତନା ଅଭିଯୋଗ…

ଚେନ୍ନାଇ,୧୪।୬ : ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ଘରେ ଚଢ଼ାଉ କରିବା ପରେ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ବାଲାଜୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ।

ଏହାପୂର୍ବରୁ ବୁଧବାର ସକାଳେ ତାଙ୍କୁ ସରକାରୀ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଡିଏମକେ ନେତାମାନେ ଅଭିଯୋଗ କରିଛନ୍ତି ତାଙ୍କ ଘରେ ଚଢ଼ାଉ ପରେ ବାଲାଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ମନ୍ତ୍ରୀ ପି.କେ ସେକର ବାବୁ କହିଛନ୍ତି ଯେ ବାଲାଜୀଙ୍କ ଅବସ୍ଥା ଦେଖି ତାଙ୍କୁ ର୍ନିଯାତନା ଦିଆଯାଉଥିବା ପରି ଲାଗୁଛି।

ଡାକ୍ତରଖାନା ନିଆଯାଉଥିବା ଭିଡିଓରେ ବାଲାଜୀ କାନ୍ଦୁଥିବା ଦେଖାଯାଇଛି। ଏହି ସମୟରେ, ବାଲାଜୀ ଭର୍ତ୍ତି ହୋଇଥିବା ଡାକ୍ତରଖାନାରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ପି ସେକର ବାବୁ ସେନ୍ଥିଲ ବାଲାଜୀଙ୍କ ଅବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଶକ୍ତି ମନ୍ତ୍ରୀଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି। ସେ ଚେତାଶୂନ୍ୟ ଏବଂ ତାଙ୍କ ନାମ ଡାକିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି। ତାଙ୍କ କାନ ପାଖରେ ଫୁଲା ଅଛି । ଡାକ୍ତରମାନେ କହିଛନ୍ତି ତାଙ୍କ ଇସିଜିରେ ମଧ୍ୟ ଅନେକ ଉତ୍ଥାନ-ପତନ ରହିଛି। ବାବୁ ଅଭିଯୋଗ କରିଛନ୍ତି ବାଲାଜୀଙ୍କୁ ନିର୍ଯାତନା ଦିଆଯାଇଛି।

Share