ହିରୋ ମୋଟୋକୋର୍ପ ଅଧ୍ୟକ୍ଷ ପଓ୍ବନ ମୁଞ୍ଜାଲଙ୍କ ୨୪.୯୫ କୋଟିର ସମ୍ପତ୍ତି ଆଟାଚ୍‌ କଲା ଇଡି

ନୂଆଦିଲ୍ଲୀ,୧୦।୧୧: ମନି ଲଣ୍ଡରିଂ ଘଟଣାରେ ତଦନ୍ତର ଅଂଶ ଭାବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ହିରୋ ମୋଟୋକର୍ପ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଓ୍ବନ କାଣ୍ଟ ମୁଞ୍ଜାଲଙ୍କ ୨୪.୯୫ କୋଟି ଟଙ୍କା ମୂଲ୍ୟର ତିନୋଟି ଅସ୍ଥାବର ସମ୍ପତ୍ତିକୁ ଆଟାଚ୍‌ କରିଛି। ଏନେଇ ଶୁକ୍ରବାର ସରକାରୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଇଡି ଅନୁଯାୟୀ, ଜବତ ଏବଂ ଆଟାଚ୍‌ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦ କୋଟି ହେବ ବୋଲି ଆକଳନ କରାଯାଇଛି। ତେବେ କମ୍ପାନୀର କାର୍ଯ୍ୟନିର୍ବାହୀ ହରି ଗୁପ୍ତା ଏବଂ ବିକ୍ରମ କାସବେକରଙ୍କ ସହ ପଓ୍ବନଙ୍କ ନାମରେ ଅପରାଧିକ ଷଡଯନ୍ତ୍ର, ପ୍ରତାରଣା, ଜାଲିଆତି ଏବଂ ଆକାଉଣ୍ଟରେ ହେରଫେର ଭଳି ଅଭିଯୋଗ ହୋଇଥିଲା। ୫୪ କୋଟି ଟଙ୍କାର ବିଦେଶୀ ମୁଦ୍ରା ଭାରତରୁ ବେଆଇନ ଭାବେ ନିଆଯାଇଥିବା ଏଥିରେ ଦର୍ଶାଯାଇଥିଲା। ଅର୍ଥ ହେରଫେର ମାମଲାର ତଦନ୍ତର ଅଂଶ ଭାବେ ଇଡି ଚଳିତ ବର୍ଷ ଅଗଷ୍ଟରେ ମୁଞ୍ଜାଲ ଏବଂ ଅନ୍ୟ କିଛି ଲୋକଙ୍କ ଘରେ ଚଢ଼ାଉ କରିଥିଲା। ଏଥିସହ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଇଡି କହିଛି।

Share