କୋଲକାତା,୨୧।୩: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ କୁରୁକ୍ଷେତ୍ର ଅର୍ଥାତ୍ ମହାଭାରତ ଯୁଦ୍ଧ ସହିତ ତୁଳନା କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ, କେବଳ ଭଗବାନ କୃଷ୍ଣ ପଶ୍ଚିମବଙ୍ଗକୁ ରକ୍ଷା କରିପାରିବେ। ଦୁର୍ନୀତିର ୱେବ ସାରା ରାଜ୍ୟରେ ବ୍ୟାପିଛି। ଶ୍ରମିକ ଏବଂ ଟାଇପିଷ୍ଟଙ୍କ ନିଯୁକ୍ତିରେ ମଧ୍ୟ ଦୁର୍ନୀତି ହୋଇଛି। ଟିଏମସି ନେତା ଶାନ୍ତନୁ ବାନାର୍ଜୀଙ୍କ ନିକଟତର ପ୍ରମୋଟର ଆୟାନ ଶେଲଙ୍କୁ କୋର୍ଟରେ ଉପସ୍ଥାପନ କରିବାବେଳେ ଇଡି ଏହି ଦାବି କରିଛି। ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟର ୩୭ ଘଣ୍ଟିଆ ମାରାଥନ ସର୍ଚ୍ଚ ପରେ ଅନୁସନ୍ଧାନକାରୀ ସଂସ୍ଥା ଆୟାନଙ୍କୁ ଗିରଫ କରିଥିଲା।
ଇଡି ଦାବି କରିଛି ଯେ, ଅଭିଯୁକ୍ତମାନେ ୫୦୦୦ରୁ ଅଧିକ ପ୍ରାର୍ଥୀଙ୍କୁ ବେଆଇନ ଚାକିରି ଯୋଗାଇ ୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଆୟାନଙ୍କଠାରୁ ପାଞ୍ଚଟି ଲାପଟପ, ପାଞ୍ଚଟି ଡେସ୍କଟପ, ଦୁଇଟି ଫୋନ ଏବଂ ଗୋଟିଏ ମ୍ୟାକ ବୁକ ଜବତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆୟାନଙ୍କ ୩୦ଟି ବ୍ୟାଙ୍କ ଆକାଉଣ୍ଟକୁ ଚିହ୍ନଟ କରାଯାଇଛି।
ଏଏସସି ନିଯୁକ୍ତି ଦୁର୍ନୀତି ବ୍ୟତୀତ ପୌରସଂସ୍ଥାରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲାରେ ମଧ୍ୟ ଆୟାନଙ୍କ ଘରେ ଚଢାଉ କରିଥିଲା। ୬୦ରୁ ଅଧିକ ପୌରସଂସ୍ଥାରେ ବେଆଇନ ନିଯୁକ୍ତି ଦିଆଯାଇଛି। ଆୟାନଙ୍କ କମ୍ପାନୀ ଅଗ୍ନିଶମ ବିଭାଗ ଏବଂ ପୌରସଂସ୍ଥାରେ ନିଯୁକ୍ତି ଦାୟିତ୍ୱରେ ଥିଲା।